ବିଶ୍ୱକପ୍‌ ଟି-୨୦ ଓ ବିଶ୍ୱକପ୍‌ ବିଜୟ ପରେ ସ୍ୱାଗତକୁ କେବେ ଭୁଲିପାରିବି ନାହିଁ : ମହେନ୍ଦ୍ର ସିଂହ ଧୋନୀ

ମୁମ୍ବାଇ,୩୦/୧୧ : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବୁଧବାର କହିଛନ୍ତି, ୨୦୦୭ରେ ବିଶ୍ୱକପ୍‌ ଟି-୨୦ ଓ ୨୦୧୧ରେ ବିଶ୍ୱକପ୍‌ ଜିତିବା ପରେ ଭବ୍ୟ ସ୍ୱାଗତକୁ କେବେ ଭୁଲିପାରିବି ନାହିଁ। ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହା ପରେ ତାଙ୍କର ନେତୃତ୍ୱରେ ନିଜ ମାଟିରେ ୨୦୧୧ରେ ଦିନିକିଆ ବିଶ୍ୱକପ ଭାରତ ନିଜ ନାମରେ କରିଥିଲା।

ମୁମ୍ବାଇରେ ଆୟୋଜିତ ଏକ ସମାରୋହରେ ଧୋନୀ କହିଛନ୍ତି, ମୁଁ ଉପରୋକ୍ତ ୨ଟି ଘଟଣାକୁ କେବେ ଭୁଲିପାରିବି ନାହିଁ। ଆମେ ୨୦୦୭ରେ ଟି-୨୦ ବିଶ୍ୱକପ ପରେ ଭାରତ ଆସିଥିଲୁ। ଆମେ ଏକ ଖୋଲା ବସ୍‌ରେ ଯାତ୍ରା କରିଥିଲୁ ଏବଂ ଆମେ ମୁମ୍ବାଇର ମେରାଇନ ଡ୍ରାଇଭ୍‌ରେ ବୁଲିଥିଲୁ। ଚାରିଆଡେ ଭିଡ ଥିଲା ଏବଂ ଲୋକେ ଆମକୁ ସ୍ୱାଗତ ପାଇଁ କାରରେ ଆସିଥିଲେ।

ସେ କହିଛନ୍ତି, ସମସ୍ତେ ଖୁସିଥିଲେ, ତେଣୁ ଏହି ଦୃଶ୍ୟ ଦେଖି ମୁଁ ବି ଖୁସି ହୋଇଥିଲି। କାରଣ ଦର୍ଶକମାନଙ୍କ ମଧ୍ୟରୁ କିଛି ଲୋକ ଉଡାଣ କରିପାରି ନ ଥିଲେ। କିଛି ଲୋକଙ୍କର ଗୁରୁତ୍ୱପୂର୍ଣ୍ଣ କାମ ହୋଇ ପାରି ନ ଥିବ। ଏହା ଭବ୍ୟ ସ୍ୱାଗତ ଥିଲା। ମେରାଇନ ଡ୍ରାଇଭ ଜନଗହଳି ପୂର୍ଣ୍ଣ ଥିଲା।

ଧୋନୀ ୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚକୁ ଭୁଲି ହେବ ନାହିଁ ବୋଲି କହିଛନ୍ତି। ଭାରତ ଯେତେବେଳେ ବିଜୟର ଦ୍ୱାରରେ ଥିଲା, ଧୋନୀ ସେତେବେଳକୁ ଅପରାଜିତ ୯୧ ରନ ସଂଗ୍ରହ କରିଥିଲେ। ଦର୍ଶକ ବନ୍ଦେ ମାତରମ କହୁଥିଲେ। ମ୍ୟାଚ୍‌ ବିଜୟ ପାଇଁ ୧୫ ରୁ ୨୦ ରନ ଦରକାର ଥିବା ବେଳେ ଦର୍ଶକମାନେ ଯେଭଳି ଭାବେ ବନ୍ଦେ ମାତରମ ପୁନରାବୃତ୍ତି କରୁଥିଲେ, ତାହା ଏହାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଏହି ୨ଟି ଘଟଣା ମୋର ହୃଦୟକୁ ସ୍ପର୍ଶ କରିଛି ବୋଲି ଧୋନୀ କହିଛନ୍ତି।