ବ୍ରହ୍ମପୁର ମହାନଗର ନିଗମର “ମୋ ଗେଲାଝିଅ” କାର୍ଯ୍ୟକ୍ରମ : ଶୁଭାରମ୍ଭ କଲେ ବିଧାୟକ ଚ୍ୟାଉପଟ୍ଟନାୟକ

ବ୍ରହ୍ମପୁର, ୧୪/୧: ଜିଲାରେ କନ୍ୟାଭ୍ରୁଣ ହତ୍ୟା ବୃଦ୍ଧି ପାଉଛି। ଏହାକୁ ହ୍ରାସ କରିବା, ସମାଜରେ କନ୍ୟା ସନ୍ତାନଙ୍କ ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବା ନେଇ ବ୍ରହ୍ମପୁର ମହାନଗର ନିଗମ “ମୋ ଗେଲାଝିଅ” କାର୍ଯ୍ୟକ୍ରମର ସୋମବାର ଶୁଭାରମ୍ଭ ହୋଇଯାଇଛି । ବିଏମ୍‌ସି ସମ୍ମଳନୀ କକ୍ଷରେ ଆୟୋଜିତ କାଯ୍ୟକ୍ରମକୁ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଏଡିୟୁପିଏଚ୍‌ଓ ଡା. ଲଲାଟେନ୍ଦୁ ଦାସ, ସିଟି ସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରକାଶ ଚନ୍ଦ୍ର ମହାପାତ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ଼ି, ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟମିଶନର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗାଲ, ସିଡିପିଓ ବିଜୟ ଲକ୍ଷ୍ମୀ ନାୟକ, ପ୍ରମିଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୦ କନ୍ୟା ସନ୍ତାନଙ୍କୁ ଡ୍ରେସ ଓ ସେମାନଙ୍କ ମା’ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କନ୍ୟା ସନ୍ତାନଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ସହ କନ୍ୟା ସନ୍ତାନଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି।