ନୂଆଦିଲ୍ଲୀ,୨୩/୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ବୋଲରଙ୍କ ଘାତକ ବୋଲିଂ ପରେ ବ୍ୟାଟସମ୍ୟାନଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭରତ ଡିଏଲ ନିଯମରେ ୧୫୬ ରନର ସହଜ ବିଜୟ ଲକ୍ଷ୍ୟକୁ ମାତ୍ର ଦୁଇଟି ୱିକେଟ ହରାଇ ହାସଲ କରିନେଇଛି । ଦଳ ମାତ୍ର ୩୪.୫ ଓଭରରେ ଦୁଇ ୱିକେଟ ହରାଇ ମ୍ୟାଚ ବିଜୟ ସହ ସିରିଜରେ ୧-୦ରେ ଆଗୁଆ ରହିଛି ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା କିୱି । କିନ୍ତୁ ଏହି ନିଷ୍ପତି ଭୁଲ ପ୍ରମାଣିତ ହୋଇଥିଲା ଦଳ ସଅଳ ଓପନର ଯୋଡିଙ୍କୁ ହରାଇଥିଲା । ଏହାପରେ କ୍ରମାଗତ ଭାବେ ସମସ୍ତ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଥିଲେ । କେବଳ କେନ ୱିଲମସନ ଏକା ଗୋଟିଏ ପଟେ କ୍ରିଜରେ ରହି ଭାରତୀୟ ବୋଲରଙ୍କୁ ସାମ୍ନା କରିଥିଲେ । ସେ ବ୍ୟକ୍ତିଗତ ଭାବେ ୬୪ ରନ କରିଥିଲେ । ଅନ୍ୟ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଫଳରେ ଦଳ ୩୮ ଓଭରରେ ମାତ୍ର ୧୫୭ରନରେ ଅଲ ଆଉଟ ହୋଇ ଯାଇଥିଲା ।
ଭାରତ ତରଫରୁ ବୋଲର କୁଲଦୀପ ଯାଦବ ଘାତକ ବୋଲିଂ କରି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମହମଦ ସାମି ତିନୋଟି, ୟୁଜବେନ୍ଦ୍ର ଚହଲ ଦୁଇଟି ଏବଂ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।ଏହାପରେ ଭାରତୀୟ ଓପନିଂ ଯୋଡି ଶିଖର ଧାବନ ଏବଂ ରୋହିତ ଶର୍ମା ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ଏ ଦୁହେଁ ଦଳର ସ୍କୋରକୁ ବିଜୟ ଅଭିମୁଖେ ନେଉଥିବା ସମୟରେ ରୋହିତ ଆଉଟ ହୋଇ ଯାଇଥିଲେ । ସେ ୧୧ ରନ କରିଥିଲେ । ଏହାପରେ ଶିଖର ଅର୍ଧଶତକୀୟ ପାଳି ଖେଳି ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଦଳ ସ୍କୋରକୁ ଆଗେଇ ନେଇଥିଲେ । ତେବେ ବିରାଟ ଏକ ଭୁଲ ସର୍ଟ ଖେଲି କ୍ୟାଚ ଆଉଟ ହୋଇଥିଲେ । ସେ ୪୫ ରନ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଶିଖର ଏବଂ ଅମ୍ବତି ରାୟଡୁ ଦଳକୁ ଓଭରରେ ବିଜୟୀ କରାଇଥିଲେ । ଶିଖର ୭୫ ରନ କରିଥିବା ବେଳେ ରାୟଡୁ ୧୩ ରନ କରିଛନ୍ତି । ତେବେ ନ୍ୟୁଜିଲାଣ୍ଡ ତରଫରୁ ଡଗ୍ ବ୍ରେସବାଲ ଏବଂ ଲୋକି ଫର୍ଗସନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।