‘ଭାରତ ବନ୍ଦ’ ମାମଲା : କଂଗ୍ରେସକୁ ବିଏସ୍‌ପିର ଧମକ

ଲ‌କ୍ଷ୍ନୌ,୧/୧: ମଧ୍ୟ ପ୍ରଦେଶ ଓ ରାଜସ୍ଥାନର କଂଗ୍ରେସ ସରକାର ପାଇଁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏକ ନୂଆ ସଂକଟ ସୃଷ୍ଟି କରିଛି। ଦୁଇଟି ରାଜ୍ୟରେ ଏହା କଂଗ୍ରେସକୁ ଯେଉଁ ସମର୍ଥନ ଦେଇଥିଲା, ତାହାକୁ ଫେରାଇନେବ ବୋଲି ଧମକାଇଛି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଏସ୍‌ପି ଓ ଏସ୍‌ପି (ସମାଜବାଦୀ ପାର୍ଟି)ର ସମର୍ଥନ ଯୋଗୁ କଂଗ୍ରେସ ମଧ୍ୟ ପ୍ରଦେଶରେ ସରକାର ଗଢ଼ିଥିଲା। ରାଜସ୍ଥାନ ପାଇଁ ମଧ୍ୟ ଦୁଇ ଦଳ କଂଗ୍ରେସକୁ ସମର୍ଥନ ଦେଇଥିଲେ। ତେବେ ବର୍ତ୍ତମାନ ବିଏସ୍‌ପି ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଉଥିବା ଜଣାପଡ଼ିଛି। ଚଳିତବର୍ଷ ଏପ୍ରିଲ୍‌ ୨ରେ ‘ଭାରତ ବନ୍ଦ’ ବେଳେ ବିଏସ୍‌ପିର କିଛି ଆନ୍ଦୋଳନକାରୀଙ୍କ ବିରୋଧରେ ଯେଉଁ ମାମଲା ଦାଏର ହୋଇଥିଲା, ତାହାକୁ ପ୍ରତ୍ୟାହାର କରିନେବାକୁ ଦଳ ଦାବି କରିଛି। ଯଦି ଏହି ମାମଲାଗୁଡ଼ିକୁ ପ୍ରତ୍ୟାହାର କରି ନିଆନଯାଏ, ତା’ହେଲେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ସମର୍ଥନ ପ୍ରତ୍ୟାହାର କରାଯିବ ବୋଲି ଏହା କହିଛି। ବିଏସ୍‌ପି ଏ ନେଇ ଏକ ପ୍ରେସ୍‌ ବିବୃତି ଜାରି କହିଛି ଯେ ଏପ୍ରିଲ୍‌ ୨ରେ ଭାରତ ବନ୍ଦ ବେଳେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଦଳର ଯେଉଁ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ହୋଇଥିଲା, ତାହାକୁ ତୁରନ୍ତ ଫେରାଇ ନିଆଯାଉ। ଅନ୍ୟଥା ବାହାରୁ ସମର୍ଥନ ପ୍ରତ୍ୟାହାର କରିନିଆଯିବ। ‌ତେଣୁ ରାଜ୍ୟଦ୍ବୟର କଂଗ୍ରେସ ସରକାର କାଳବିଳମ୍ବ ନକରି ଏହି ପଦକ୍ଷେପ ନେଉ ବୋଲି ବିଏସ୍‌ପି ପକ୍ଷରୁ କୁହାଯାଇଛି। ଏହାକୁ ନେଇ କଂଗ୍ରେସର ଅଡୁଆ ବଢ଼ିଯାଇଛି।

SBI_Festive_Digital Billboard