କୋଲକାତା, ୬/୧୧: ଆସନ୍ତା ନଭେମ୍ୱର ୨୨ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ କୋଲକାତାରେ ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଦେଖିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅତିଥି ପ୍ରଧାନମନ୍ତ୍ରୀ ଶେଖ ହସୀନା ମଧ୍ୟ ପହଞ୍ଚିବେ । ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବାଂଲାଦେଶ ପିଏମ ଶେଖ ହସୀନାଙ୍କୁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ସ୍ୱିକାର କରିଛନ୍ତି । ଏହାସହ ବେଙ୍ଗଲ କ୍ରିକେଟ ସଂଘ ହସୀନାଙ୍କ ଗ୍ରାଣ୍ଡ ୱେଲକମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ବାଂଲାଦେଶ ପିଏମଙ୍କ ମଧ୍ୟାହ୍ନ ଭୋଜନ ପାଇଁ ୫୦ ପ୍ରକାର ବ୍ୟଞ୍ଜନର ନାଁ ମଧ୍ୟ ନିର୍ଧାରଣ କରାଯାଇଛି । ଅନ୍ୟପଟେ, ମ୍ୟାଚର ଟସ୍ ସୁନା କଏନରେ ହେବ । ମ୍ୟାଚର ସ୍ମୃତି ଭାବେ ରୁପା କଏନକୁ ଅତିଥିମାନଙ୍କୁ ଉପହାରରେ ଦିଆଯିବ ।
ରିପୋର୍ଟ୍ସ ଅନୁସାରେ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂଘ ଗ୍ରାଣ୍ଡ ରିସେପଶନରର ଆୟୋଜନ କରୁଛି । ମାଛ ସହ ପାରମ୍ପାରିକ ବେଙ୍ଗଲି ଖାଇବାକୁ ମଧ୍ୟାହ୍ନ ଭୋଜନରେ ସାମିଲ କରାଯିବ । ଏହାସହ ଚିକେନ ଏବଂ ମଟନର ଅନେକ ବ୍ୟଞ୍ଜନ ମଧ୍ୟ ସାମିଲ ରହିବ । ବେଙ୍ଗଲ କ୍ରିକେଟ ସଂଘ ଏକ ପଞ୍ଚ ତାରକା ହୋଟେଲ ସହ ମିଶି ଏହା ନିର୍ଦ୍ଧାରଣ କରିଛି । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେବେ । ରିପୋର୍ଟ ଅନୁସାରେ ସଂଘ ଶେଖ ହସୀନାଙ୍କୁ ଏକ ସ୍ୱତନ୍ତ୍ର ଶାଢି ମଧ୍ୟ ଉପହାରରେ ଦେବ । ଉଲ୍ଲେଖଯୋଗ୍ୟ ଯେ କୋଲକାତାରେ ହେବାକୁ ଥିବା ମ୍ୟାଚ ଭାରତୀୟ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ।
ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟେଷ୍ଟ ମ୍ୟାଚରେ ସାମିଲ ହେବା ନେଇ ନିମନ୍ତ୍ରଣ କରାଯାଇଛି । ପୂର୍ବତନ ଭାରତୀୟ ଟେଷ୍ଟ ଅଧିନାୟକମାନଙ୍କୁ ମଧ୍ୟ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି ।