ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ, ୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ

ନବରଙ୍ଗପୁର,୨୫/୭: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଜଣେ କୋଟିପତି ସହକାରୀ ଶିକ୍ଷକ । ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମୁଣ୍ଡାଗଡ ଅଂଚଳର ସୁବ୍ରତ ଚୌଧୁରୀ । ଭିଜିଲାନ୍ସ ଟିମ୍ ସୁବ୍ରତଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ପାଖାପାଖି ୬ କୋଟି ମୂଲ୍ୟର ସମ୍ପତ୍ତି ଠାବ କରିଛି ।

କୋରାପୁଟ ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଶିକ୍ଷକଙ୍କର ନବରଙ୍ଗପୁର ସହରର ଥିବା ୪ ତାଲା କୋଠା, ସନ୍ତୋଷି ଇନଫୋଟେକ୍ ନାମକ କମ୍ପ୍ୟୁଟର ସେଂଟର, ରଙ୍ଗମାଟିଗୁଡା ଠାରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଆରକେ କଲୋନୀରେ ଥିବା ବାସଭବନ, ସହରରେ ଥିବା ଦୁଇ ମହଲା ଘର, ସହରର ନୂଆବନ୍ଧ ସାହିରେ ଥିବା ଦୁଇ ତାଲା କୋଠାରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଚଢାଉରେ ୫ କୋଟିରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ସୁବ୍ରତଙ୍କର ନବରଙ୍ଗପୁରରେ ୨ କୋଟି ୨୩ ଲକ୍ଷ ୬୬ ହଜାରରୁ ଅଧିକ ମୂଲ୍ୟର ୪ ମହଲା କୋଠା, ଏହା ସହିତ ୧ କୋଟି ୩୩ ଲକ୍ଷ ୬୧ ହଜାରରୁ ଅଧିକ ମୂଲ୍ୟର ପ୍ଲଟ, ନୂଆବନ୍ଧସାହିରେ ୧୯ ଲକ୍ଷରୁ ଅଧିକ ମୂଲ୍ୟର ନିର୍ମାଣାଧିନ ଦୁଇ ମହଲା କୋଠାକୁ ଠାବ କରାଯାଇଛି । ଖାଲି ଏତିକି ନୁହେଁ ଗୋଟିଏ କାର୍, ୩ଟି ବାଇକ୍, ୫୦ ଲକ୍ଷ ଟଙ୍କାର ବୀମା, ୧୦ ଲକ୍ଷ ଟଙ୍କାର ସୁନା ଗହଣା ଆଦି ଅନେକ ସମ୍ପତ୍ତି ଜବତ କରାଯାଇଛି । ଏ ସମସ୍ତ ସମ୍ପତ୍ତିର ମୂଲ୍ୟ ପାଖାପାଖି ୬ କୋଟି ହେବ ବୋଳି ଆକଳନ କରାଯାଇଛି । ସୁବ୍ରତ ମୁଣ୍ଡାଗଡ଼ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ଗତ କିଛି ମାସ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।