ଭୁବନେଶ୍ବର ,୭/୧୨ : ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ପ୍ରାୟ ସାଢ଼େ ୪ମାସ ପରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି। ଏଥର ଏୟାର ଇଣ୍ଡିଆ ନୁହେଁ, ଏୟାର ଏସିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଏବେ ସପ୍ତାହକୁ ତିନିଦିନ ଉଡ଼ାଣ କରିବାକୁ ଥିବା ଏହି ବିମାନେର ପ୍ରଥମ ଦିନରେ ବ୍ୟାଙ୍କକ୍ରୁ ୨୮ଜଣ ଯାତ୍ରୀ ଆସିଥିବାବେଳେ ୧୬୫ଜଣ ଯାତ୍ରୀ ଭୁବନେଶ୍ବରରୁ ବ୍ୟାଙ୍କକ୍ ଯାଇଛନ୍ତି।
ଆଜି ରାତି ୧୧ଟା ୩୫ରେ ବିମାନ ଏଫ୍ଡି-୧୧୨ ଭୁବନେଶ୍ବରରେ ଅବତରଣ କରିଥିଲା। ଏହାକୁ ୱାଟର୍ କ୍ୟାନନ୍ ମାଧ୍ୟମରେ ବିମାନବନ୍ଦର ପରିସରରେ ସ୍ବାଗତ କରାଯାଇଥିଲା। ଏହାପରେ ଆସିଥିବା ଯାତ୍ରୀଙ୍କୁ ସିନ୍ଦୂର ଲଗାଇ, ଫୁଲ ପକାଇ ସ୍ବାଗତ କରାଯାଇଥିଲା। ସେହିପରି ଏଠାରୁ ଯାଇଥିବା ୧୬୫ଜଣ ଯାତ୍ରୀଙ୍କୁ ଶଙ୍ଖ ବଜାଇ, ଚନ୍ଦନ ସିନ୍ଦୂର ଲଗାଇ ନିଆରା ଢଙ୍ଗରେ ସ୍ବାଗତ କରାଯାଇଥିଲା। ବିମାନଟି ଯାତ୍ରୀଙ୍କୁ ନେଇ ରାତି ୧୨ଟା ୨୫ରେ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ କରିଥିଲା।
ଏହାପୂର୍ବରୁ ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଭୁବନେଶ୍ବର ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ, ଏୟାର ଏସିଆର ଭାରତ ଦାୟିତ୍ବରେ ଥିବା ମହାପ୍ରବନ୍ଧକ ସୁରେଶ ନାୟାର, ଷ୍ଟେସନ ମ୍ୟାନେଜର ଶ୍ରୀନିବାସନ୍ ବି, ହୋଟେଲ କ୍ରାଉନ୍ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ବିମାନବନ୍ଦର ପରିସରରେ ଏୟାର ଏସିଆର ଚେକ୍ ଇନ୍ କାଉଣ୍ଟର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ବିମାନ ସେବାକୁ ଉଦ୍ଘାଟନ କରିଥିଲେ।
ଏୟାର ଏସିଆ ପକ୍ଷରୁ ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ବରରୁ ରବିବାର, ବୁଧବାର ଓ ଶୁକ୍ରବାର ବିମାନ ବ୍ୟାଙ୍କକ୍ ଅଭିମୁଖେ ଯିବ। ଏଠାରୁ ବିମାନ ଏଫ୍ଡି-୧୧୩ ବିମାନ ରାତି ୧୨ଟା ୨୫ରେ ବାହାରି ବ୍ୟାଙ୍କକ୍ରେ ସ୍ଥାନୀୟ ସମୟ ଅନୁଯାୟୀ ରାତି ୪ଟା ୩୦ରେ ପହଞ୍ଚିବ। ଓଡ଼ିଶାର ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସଂସ୍ଥା ପ୍ରଥମ ତିନି ଦିନ ପାଇଁ ଭଡ଼ାରେ ୨୦% ରିହାତି ପ୍ରଦାନ କରାଯାଇଛି। ଏଥିପାଇଁ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ୩ ଦିନ ଏସ୍ପ୍ଲାନେଡ୍ ମଲ୍ରେ ଏୟାର ଏସିଆର ଷ୍ଟଲ ଲାଗିବ। ଯେଉଁ ଯାତ୍ରୀ ଏହି ଷ୍ଟଲରୁ ଟିକଟ ନେବେ ସେମାନଙ୍କୁ ୨୦% ରିହାତିରେ ଟିକେଟ ମିଳିବ ବୋଲି ସଂସ୍ଥା ଘୋଷଣା କରିଛି।