‘ମଣିକର୍ଣ୍ଣିକା’ ଫିଲ୍ମର ସ୍କ୍ରିନିଙ୍ଗ ଦେଖିଲେ ରାଷ୍ଟ୍ରପତି

ମୁମ୍ବାଇ,୧୯/୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ କଙ୍ଗନା ରଣାଓ୍ଵତଙ୍କ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’: ଦ କ୍ୱିନ ଅଫ ଝାନ୍ସି’ର ସ୍ପେସିଆଲ ସ୍କ୍ରିନିଂ ଦେଖିଛନ୍ତି । ଶୁକ୍ରବାର ଜାନୁଆରୀ ୧୮ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏହି ଫିଲ୍ମର ସ୍କ୍ରିନିଂ ହୋଇଥିଲା । ଏହି ସମୟରେ ଫିଲ୍ମର ଷ୍ଟାର କାଷ୍ଟ ମଧ୍ୟ ଉପସ୍ଥିତ ଥିଲେ । ସ୍କ୍ରିନିଂ ପରେ ରାଷ୍ଟ୍ରପତି ଏହି ଫିଲ୍ମର ଷ୍ଟାର କାଷ୍ଟଙ୍କୁ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ନିଜ ଟ୍ୱିଟର୍‌ ଆକାଉଂଟରେ ଏହି ସ୍କ୍ରିନିଂର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

“ରାଷ୍ଟ୍ରପତିଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଝାନ୍ସିର ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ଉପରେ ଆଧାରିତ ଓ କ୍ରିସ ଜାଗରଲାମୁଦି ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ମଣିକର୍ଣ୍ଣିକା’ ଦେଖିଛନ୍ତି। ଫିଲ୍ମଟି ଦେଖିବା ପରେ ଏହାର କାଷ୍ଟ ଓ କ୍ରୁ ମେମ୍ବରଙ୍କୁ ସମ୍ମାନିତ କରାଯାଇଛି। ଏହା ସହିତ ସ୍କିନିଙ୍କ ପାଇଁ କଙ୍ଗନା ଗଜଦନ୍ତ ଶାଢୀ ପରିଧାନ କରିଥିଲେ।

ଅନ୍ୟ ପକ୍ଷରେ ଜାନୁଆରୀ ୧୭ ଗୁରୁବାର କଙ୍ଗନାଙ୍କର ଏହି ଫିଲ୍ମକୁ କରଣୀ ସେନା ବିରୋଧ କରିଥିବା ଜଣାପଡ଼ିଛି। କରଣୀ ସେନା କହିଛନ୍ତି ଯେ, ଫିଲ୍ମରେ ଲକ୍ଷ୍ମୀ ବାଈଙ୍କର ବ୍ରିଟିଶ ଅଫିସରଙ୍କ ସହିତ ଯେଉଁ ସମ୍ପର୍କ ଦର୍ଶାଯାଇଛି ତାହା ମିଥ୍ୟା ଅଟେ। କେବଳ ସେତିକି ନୁହେଁ ରାଣୀ ଲକ୍ଷ୍ମୀବାଈଙ୍କୁ ନେଇ ହୋଇଥିବା ଗୀତ ଉପରେ ମଧ୍ୟ ସେନା ଆପତ୍ତି ଉଠାଇଛନ୍ତି। ଏହି ଗୀତରେ ରାଣୀ ଲକ୍ଷ୍ମୀବାଈ ନୃତ୍ୟକୁ ପରମ୍ପରା ବିରୋଧୀ ବୋଲି ସେନା କହିଛି। ଫିଲ୍ମ ମୁକ୍ତିଲାଭ କରିବା ପୂର୍ବରୁ ଏହି ନୃତ୍ୟକୁ କରନୀ ସେନାଙ୍କୁ ଦେଖାଇବା ପାଇଁ ସେନା କହିଛନ୍ତି।