ମମତାଙ୍କ ମହାମେଳି : ମୋଦି ସରକାର ବିରୋଧରେ ଗର୍ଜିଲେ ୨୨ ବିରୋଧୀ ଦଳର ନେତା

କୋଲକାତା,୧୯/୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ଵାନ କ୍ରମେ କୋଲକାତାରେ ଏକାଠି ହୋଇଛନ୍ତି ୨୨ଟି ରାଜନୈତିକ ଦଳର ନେତା। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଫାୟାର ବ୍ରିଗେଡ ପଡ଼ିଆରେ ଶକ୍ତି ପ୍ରଦର୍ଶନ କରିଛି ବିରୋଧୀଦଳଙ୍କ ମହାମେଳି। ତୃଣମୂଳ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିରାଟ ଜନମସାବେଶରେ ୨୦ରୁ ଅଧିକ ଜାତୀୟସ୍ତରର ନେତା ସାମିଲ୍‌ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। କେନ୍ଦ୍ରରୁ ନରେନ୍ଦ୍ର ମୋଦି ସରକାରକୁ ହଟାଇବାକୁ ଆହ୍ଵାନ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି,ଦେବଗୌଡ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା,ଶତୃଘ୍ନ ସିହ୍ନା,ଅରୁଣ ସୌରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌,ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ ଏହି ସମାବେଶରେ ଯୋଗଦାନ କରିଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମର ଅବଦୁଲ୍ଲା, ଅଖିଳେଶ ଯାଦବ ଏବଂ ଡିଏମକେ ସୁପ୍ରିମୋ ଏମ.କେ.ଷ୍ଟାଲିନ୍‌ ପ୍ରମୁଖ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆମନ୍ତ୍ରଣରେ ଅନୁଷ୍ଠିତ ବିରୋଧୀ ମହାମେଳିରେ ଏକାଠି ହୋଇଛନ୍ତି।

ଏହି ବିଶାଳ ଜନସମାବେଶକୁ ଭାରତ ଏକତ୍ୱ ରାଲି ଭାବେ ନାମକରଣ କରିଛି ତୃଣମୂଳ କଂଗ୍ରେସ। ମମତାଙ୍କ ମହାମେଳିରେ ସାମିଲ ହୋଇଛନ୍ତି ଗୁଜୁରାଟର ଜଣାଶୁଣା ବିଜେପି ବିରୋଧୀ ବିଧାୟକ ଜିଗ୍ନେଶ ମେବାନି ଓ ହାର୍ଦ୍ଦିକ ପଟେଲ। ମମତା ବାନାର୍ଜୀଙ୍କ ପରିଚାଳନାରେ ଅନୁଷ୍ଠିତ ଜନସଭାରେ ପ୍ରଥମ ବକ୍ତା ଭାବେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ହାର୍ଦ୍ଦିକ ପଟେଲ। ସେ ପଶ୍ଚିମବଙ୍ଗର ଜନତାକୁ ଆହ୍ଵାନ ଦେଇ କହିଥିଲେ, ସୁଭାଷ ଲଢେ ଥେ ଗୋରେ ସେ, ହମ୍‌ ଲଢେଙ୍ଗେ ଚୋରୋସେ (ନେତାଜୀ ସୁଭାଷ ବୋଷ ଗୋରାମାନଙ୍କ ସହ ଲଢିଥିଲେ, ଆମେ ଏବେ ଚୋରଙ୍କ ବିରୋଧରେ ଲଢିବା)।

ଏହି ରାଲିରେ ମମତା ବାନାର୍ଜୀ ଆହ୍ଵାନ ଦେଇ କହିଛନ୍ତି, କି ରାଜ୍ୟ ଗୁଡ଼ିକର ବିକାଶ ଲାଗି କେନ୍ଦ୍ରରେ ଏକ ସକାରାତ୍ମକ ସରକାର ଦରକାର। ତେଣୁ ଦିଲ୍ଲୀରେ ଥିବା ସରକାରକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଦିଲ୍ଲୀରେ ପରିବର୍ତ୍ତନ ଦରକାର।