ମମତାଙ୍କ ସପକ୍ଷରେ ବାହାରିଲେ ମାୟାବତୀ

ନୂଆଦିଲ୍ଲୀ, ୧୬/୫: ପଶ୍ଚିମବଙ୍ଗରେ ଅମିତ ଶାହାଙ୍କ ପ୍ରଚାର ବେଳେ ଯେଉଁ ହିଂସାକାଣ୍ଡ ଘଟିଛି ତାହା ଏବେ ରାଜନୀତିର ପାରଦକୁ ବଢ଼ାଇ ଦେଇଛି । ତୃଣମୂଳ କଂଗ୍ରେସ ହିଂସା ଆଚରଣ ପରେ ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏବେ ଟିଏମ୍‌ସି ମୁଖ୍ୟ ମମତା ଦିଦିଙ୍କ ସପକ୍ଷରେ ବାହାରିଛନ୍ତି ବହୁଜନ ସମାଜବାଦୀ ମୁଖ୍ୟ ମାୟବତୀ । ବିଜେପିର ଚାପରେ ଆସି ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଥିବା ମାୟାବତୀ ସିଧାସଳଖ କହିଛନ୍ତି ।

ମାୟାବତୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଯଦି ନିର୍ବାଚନ ଆୟୋଗଙ୍କୁ ନିଷ୍ପତ୍ତି ନେବାର ଥିଲା ତେବେ ଆଜି ସକାଳେ କାହିଁକି ରୋକ୍‌ ଲଗାଗଲା ନାହିଁ । ଆଜି ରାତିରେ ମୋଦୀଙ୍କର ମାତ୍ର ୨ଟି ରାଲି ଅଛି । ସେଥିପାଇଁ ଆଜି ରାତି ୧୦ଟା ପରେ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଆୟୋଗ ଚାପରେ ଆସି ଏଭଳି କରୁଛନ୍ତି । ପଶ୍ଚିମବଙ୍ଗରେ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରିଛି । ମମତାଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି ମାୟାବତୀ ଓଲଟା ଅଭିଯୋଗ କରିଛନ୍ତି । ବଙ୍ଗଳା ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ସେହିପରି ପିଏମ୍‌ ମୋଦୀ, ଅମିତ ଶାହା ଓ ଅନ୍ୟ ବିଜେପି ନେତାମାନେ ମମତାଙ୍କ ଉପରେ ଲକ୍ଷ୍ୟ ରଖିଛନ୍ତି । ଏହା ବହୁତ ବିପଦପୂର୍ଣ୍ଣ ଓ ଅନ୍ୟାୟପୂର୍ଣ୍ଣ ବୋଲି ମାୟାବତୀ କହିଛନ୍ତି ।