ଭୁବନେଶ୍ୱର,୩/୧: ନବ ଉତ୍କଳର ନିର୍ମାତା ହେଉଛନ୍ତି ଉତ୍କଳ କେଶରୀ ହରେକୃଷ୍ଣ ମହତାବ। ତାଙ୍କୁ ବାଦ୍ ଦେଇ ଓଡ଼ିଶାର ଇତିହାସ ଲେଖା ହୋଇପାରିବ ନାହିଁ। ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହା କହିଛନ୍ତି। ଆଜି ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବରେ ସ୍ବାଧୀନତା ସଂଗ୍ରାମୀ ସମିତିର ସର୍ବଭାରତୀୟ ସଭାପତି ଏମ୍ଆର ମଥଡ଼ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରୀ ବେହେରା କହିଲେ, ସ୍ବାଧୀନତା ସଂଗ୍ରାମର ଇତିହାସ ଓ ସଂଗ୍ରାମୀମାନଙ୍କ ଜୀବନୀ ସହ ଯୁବପିଢ଼ିଙ୍କୁ ଯୋଡ଼ିବାକୁ ପଡ଼ିବ। ଦେଶ ଏବେ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଥିବା ବେଳେ ରାଜ୍ୟ ସରକାର ଏଥିରେ ସାମିଲ ହୋଇଛନ୍ତି। ନିକଟରେ ଉଦ୍ଘାଟିତ ହୋଇଥିବା କୁଶଭଦ୍ରା ନଦୀ ସେତୁକୁ ଗାନ୍ଧୀଙ୍କ ନାଁରେ ନାମିତ କରାଯାଇଛି। ଏହାସହ ୧୯୩୪ ମସିହାରେ ଗାନ୍ଧୀଜୀ ଯେଉଁ ରାସ୍ତା ଦେଇ ଯାଇଥିଲେ, ଏହାର ଏକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ହରେକୃଷ୍ଣ ମହତାବ, ଅନ୍ନପୂର୍ଣ୍ଣା ଦେବୀ, ନବକୃଷ୍ଣ ଚୌଧୁରୀଙ୍କ ସମେତ ଯେଉଁ ନେତୃମଣ୍ଡଳୀ ସେ ସମୟରେ ଗାନ୍ଧୀଜୀଙ୍କ ସହ ରହିଥିଲେ, ସେମାନଙ୍କ ଫଟୋ ମିଳିପାରିଲେ ସ୍ମାରକୀରେ ଏହା ସ୍ଥାନ ପାଇବ ବୋଲି ଶ୍ରୀ ବେହେରା କହିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଲେ, ରାଜ୍ୟର ଯେଉଁ ସ୍ବାଧୀନତା ସଂଗ୍ରାମୀ ରହିଛନ୍ତି, ସେମାନଙ୍କର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉ। ଏହାସହ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ଏଠି ସେଠି ସ୍ଥାପନ ନ କରି ଯେଉଁଠାରେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ ହୋଇପାରିବ, ସେହି ଜାଗାରେ ହିଁ ଏହାକୁ ସ୍ଥାପନ କରାଯାଉ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ଯୁବପିଢ଼ି ଏବେ ଡିଜିଟାଲ ଦୁନିଆ ସହିତ ଯୋଡ଼ି ହୋଇଥିବାରୁ ସ୍ବାଧୀନତା ସଂଗ୍ରାମୀମାନଙ୍କ ଜୀବନୀ କିଭଳି ଡିଜିଟାଲ ଫର୍ମାଟରେ ପଢ଼ି ହେବ, ସେଥିପାଇଁ ଉଦ୍ୟମ କରାଯିବା ଦରକାର। ରାଜ୍ୟର ଅନେକ ସ୍ବାଧୀନତା ସଂଗ୍ରାମୀ ଏବେ ବି ଲୋକଲୋଚନକୁ ଆସି ପାରି ନାହାନ୍ତି। ସେମାନଙ୍କୁ କିଭଳି ଲୋକଲୋଚନକୁ ଅଣାଯିବ, ତାହାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ରାଜ୍ୟ ସରକାର ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଆରମ୍ଭ କରିଛନ୍ତି। ସ୍ବାଧୀନତା ସଂଗ୍ରାମୀମାନେ ଏହାର ସୁବିଧା ନେଇପାରିବେ। ତେବେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ କିଭଳି ଘରୋଇ ଡାକ୍ତରଖାନାରେ ଚିକିତ୍ସା ଦିଆଯାଇ ପାରିବ, ସେଥିପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ଜେନା କହିଥିଲେ। ଏସ୍ସି/ଏସ୍ଟି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଲେ, ରାଜଧାନୀରେ ସହିଦମାନଙ୍କ ପାଇଁ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।