ପୁରୀ , ୨୪/୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସୋମବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ କେସିଆର ସପତ୍ନିକ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ନୀତି ପ୍ରକାଶକ ବିଶ୍ୱଜିତ୍ ବିଶ୍ୱାଳ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହାପରେ କଡାସୁରକ୍ଷା ମଧ୍ୟରେ କେସିଆରଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା। ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢା ପରିସରରେ ଥିବା ଅନ୍ୟାନ୍ୟ ଦେବାଦେବୀଙ୍କୁ ବୁଲି ଦେଖିଥିଲେ। କେସିଆର ଦୁଇଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଥିଲେ। ସୋମବାର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଓଡ଼ିଶା ଗସ୍ତ ଶେଷ କରି କଲିକତା ଅଭିମୁଖେ ଯିବେ। ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି ।