ମହିଳାଙ୍କ ନେତୃତ୍ୱ ଓଡ଼ିଶାକୁ ନୂଆ ବାଟ ଦେଖାଇଛି : ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୮/୨: ମହିଳାଙ୍କ ନେତୃତ୍ୱ ଓଡ଼ିଶାକୁ ଏକ ନୂଆ ବାଟ ଦେଖାଇପାରିଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବାକୁ କେନ୍ଦ୍ର ପାଖରେ ଆମେ ଦାବି ରଖିଛୁ। ରାୟଗଡ଼ା ଜିଲା ଖଲିଗୁଡ଼ାରେ ବୁଧବାର ଅନୁଷ୍ଠିତ ମିଶନ ଶକ୍ତି ମହାସମାବେଶରେ ଲକ୍ଷାଧିକ ମହିଳାଙ୍କୁ ସମ୍ବୋଧିତ କରି ଏଭଳି ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତ ଅବସରରେ ସେ ରାୟଗଡ଼ା ଜିଲା ପାଇଁ ୫୩୨ କୋଟି ୫୮ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।
ସଭାସ୍ଥଳରେ ଉପସ୍ଥିତ ୧ଲକ୍ଷ ମହିଳାଙ୍କୁ ଜୁହାର କହିବା ସହ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ମହିଳା ସଶକ୍ତୀକରଣ ମାଧ୍ୟମରେ ୬ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଏଥିରେ ୭୦ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି। ସେମାନଙ୍କୁ ସ୍ବାବଲମ୍ବୀ କରାଇବାକୁ ସମସ୍ତ ଗ୍ରୁପକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଥିବା ସେ କହିଥିଲେ। କାଳିଆ ଯୋଜନାରେ ଚାଷୀଙ୍କୁ ସାମିଲ କରାଯାଇଛି। ସ୍କଲାରଶିପ ଜରିଆରେ ଚାଷୀଙ୍କ ପିଲାଙ୍କୁ ପାଠପଢ଼ା ବ୍ୟବସ୍ଥା କରାଯାଇଛି। କେତେକ ଲୋକ ଏହା ବନ୍ଦ ହୋଇଯିବା ନେଇ ମିଥ୍ୟା ଅପପ୍ରଚାର କରୁଛନ୍ତି। ଏହା ଏକ ଐତିହାସିକ ପଦକ୍ଷେପ ଓ ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କିଛି ସୁବିଧା ନ ଥିବା ବେଳେ ବହୁ ଚାଷୀ ଏଥିରୁ ବାଦ୍‌ ପଡିଛନ୍ତି। ଏହାର ପ୍ରୋତ୍ସାହନ ରାଶି ୬ହଜାର ପରିବର୍ତ୍ତେ ୧୦ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି ଜଣାଇଥିବା କହିଥିଲେ। ଚାଷୀ, ମହିଳା ଓ ଯୁବକଙ୍କୁ ସଶକ୍ତ କରି ଓଡ଼ିଶାର ନୂଆ ପରିଚୟ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ଏହି ଅବସରରେ ରାୟଗଡା ଜିଲାରେ ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପକୁ ମଧ୍ୟ ସେ ଲୋକାର୍ପିତ କରିଥିଲେ। ସେହିପରି ୧୫୦୦ ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ୧୧୮୯ ଜଣଙ୍କୁ ମଧୁବାବୁ ପେନସନ, ୧୨୯୭ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା, ୧୪୪ଟି ଏସ୍‌ଏଚ୍‌ଜିକୁ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ, ୧୧ଟି ପ୍ରକଳ୍ପରେ ୬୭୨୯ଟି ଏସ୍‌ଏଚ୍‌ଜିକୁ ୧୦କୋଟି ୯ଲକ୍ଷ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରଣବ ପ୍ରକାଶ ଦାଶ, କୋରାପୁଟ ଏମ୍‌ପି ଝିନ୍ନ ହିକ୍‌କା, ରାଜ୍ୟସଭା ସଦସ୍ୟ ଏନ୍‌. ଭାସ୍କର ରାଓ ଉପସ୍ଥିତ ଥିଲେ।

SBI_Festive_Digital Billboard