ନୂଆଦିଲ୍ଲୀ,୭/୨: ଆସନ୍ତା ୨୧୦୦ ସୁଦ୍ଧା ହିମାଳୟର ଏକ ତୃତୀୟାଂଶ ଅଂଶ ତରଳିଯିବ। ଏହାଦ୍ୱାରା ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇବ। ଏସମ୍ପର୍କରେ ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଫଳରେ ଉତ୍କଟ ଜଳ ସଙ୍କଟ ଦେଖାଯିବ। ଏହା ୧୬୫ କୋଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବା ରିପୋର୍ଟ ପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ୨.୧ ଡିଗ୍ରୀ ବୃଦ୍ଧି ପାଇବ। ଏହା ହିନ୍ଦ୍କୁଶ୍ ପର୍ବତମାଳାକୁ ପ୍ରଭାବିତ କରିବ। ଏହାଯୋଗୁ ଏଠାରେ ଥିବା ହିମ ପାହାଡ଼ ତରଳି ଯିବ। ଏନେଇ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ମାଉଣ୍ଟେନ୍ ଡେଭଲପ୍ମେଣ୍ଟ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ୨୦୩୦ ସୁଦ୍ଧା ବିଶ୍ୱ ତାପମାତ୍ରାରେ ୧.୫ ଡିଗ୍ରୀ ବଢ଼ିବାର ଆଶଙ୍କ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ହିନ୍ଦ୍କୁଶ୍ ପର୍ବତମାଳା ୩୫୦୦ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଏହାର ଅଂଶ ଆଫଗାନୀସ୍ଥାନ, ଭାରତ, ଭୁଟାନ, ଚାଇନା, ନେପାଳ, ପାକିସ୍ତାନ, ବାଂଲାଦେଶ, ମ୍ୟାନମାର୍ ଆଦି ଦେଶରେ ରହିଛି। ଏହି ପର୍ବତମାଳାରୁ ଗଙ୍ଗା, ସିନ୍ଧୁ, ୟେଲୋ ରିଭର, ଇରାବତୀ ମୋକାଗ୍ନା, ବ୍ରହ୍ମପୁତ୍ର, ସତଲେଜ୍, ବ୍ୟାସ, ରାବୀ ଆଦି ନଦୀ ସୃଷ୍ଟି ହୋଇଛି। ଏସବୁ ନଦୀରେ ବର୍ଷ ସାରା ୧୨ ମାସ ପାଣି ରହିଥାଏ। ଫଳରେ ଏସବୁ ନଦୀ କୂଳରେ ବାସ କରୁଥିବା ଲୋକେ ବେଶ୍ ଉପକୃତ ହୋଇଥାନ୍ତି। ତେବେ ଦେଖାଦେବାକୁ ଥିବା ଜଳ ସଙ୍କଟ ନଦୀ କୂଳରେ ବାସ କରୁଥିବା ୩୫ କୋଟି ପାହାଡ଼ିଆ ଲୋକଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ ପାଇଛି।