ଭୁବନେଶ୍ୱର,୩୦/୧: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍ଟିପିସି) ଲିମିଟେଡର ସୁନ୍ଦରଗଡ ଜିଲାସ୍ଥିତ ଦର୍ଲିପାଲି ପ୍ରକଳ୍ପରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ ଉତ୍ପାଦନ ହେବ। ସୁନ୍ଦରଗଡର ଲେଫ୍ରିପଡା ତହସିଲରେ ଏନ୍ଟିପିସି ୧୬୦୦ ମେଗାଓ୍ବାଟ (୨X୮୦୦) ସୁପର ଥର୍ମାଲ ପାଓ୍ବାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉକ୍ତ ପ୍ରକଳ୍ପର ବଏଲରରେ ଅକ୍ଟୋବର ମାସରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାର ଟିଜି୧ ଲ୍ୟୁବ ଅଏଲ ଫ୍ଲସିଂ ସମାପ୍ତ ହୋଇଥିବା ବେଳେ ଟିଜିଡେକ ପ୍ରବାହିତ କାର୍ଯ୍ୟ, ବଏଲରର ରସାୟନିକ ପରିସ୍କାର ସମ୍ପନ୍ନ ହୋଇଛି। ଷ୍ଟିମ ବ୍ଲୋଇଂର ପ୍ରଥମ ବ୍ଲୋ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାନୁୟାରୀରେ ଷ୍ଟେଜ-୧ର ସମାପ୍ତି ହୋଇଛି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ବିଦ୍ୟୁତ ଉତ୍ପାଦନ କରିବାକୁ ଯୋଜନା ରହିଥିବା କମ୍ପାନୀ ପକ୍ଷରୁ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ନିରନ୍ତର ବିଦ୍ୟୁତ ଉତ୍ପାଦନ ଲାଗି ଅଧିକ ୩୦ରୁ ୬୦ ଦିନ ସମୟ ଲାଗିବାକୁ ଥିବା ବେଳେ ପ୍ରଥମ ୟୁନିଟ କାର୍ଯ୍ୟକ୍ରମ ହେବାର ୬ ମାସ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟକୁ କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କାର୍ଯ୍ୟକ୍ରମ ଅବସରରେ ଏନ୍ଟିପିସି ପୂର୍ବାଞ୍ଚଳ-୨ର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍.ପି.ସିହ୍ନା କହିଛନ୍ତି।
ଆସନ୍ତା ଆର୍ଥତ୍କ ବର୍ଷ ପ୍ରାରମ୍ଭରେ ଉଭୟ ୟୁନିଟରୁ ସମ୍ପୂର୍ଣ୍ଣ କମର୍ସିଆଲ ଉତ୍ପାଦନ କରିବାକୁ ପଦକ୍ଷେପ ଜାରି ରହିଛି। ଉକ୍ତ ପ୍ରକଳ୍ପରେ କମ୍ପାନୀ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮,୫୦୦ କୋଟି ଟଙ୍କା ବିନିଯୋଗ କରିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏଠାରୁ ଉତ୍ପାଦିତ ୫୦% ବିଦ୍ୟୁତ ଓଡ଼ିଶା ପାଇବ ବୋଲି ସେ ସୂଚନା ଦେଇଛନ୍ତି। କମ୍ପାନୀ ଏହାର ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟକୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି। ଏହାର କ୍ଷମତା ୧୩୨୦ ମେଗାଓ୍ବାଟ ରହିବ। ଏଥିଲାଗି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମଞ୍ଜୁରୀକୁ ଅପେକ୍ଷା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଜେନେରାଲ ମ୍ୟାନେଜର ଓଏନ୍ଏମ୍, ଆର୍.ସି.ପଟ୍ଟନାୟକ, ସିଜିଏମ ଟିଏସ୍ଟିପିଏସ୍, ସନ୍ତୋଷ ଜେମ୍ସ,ଓଏସ୍ଟିଏସ୍ ସୌଭାଗ୍ୟ , ଜେନେରାଲ ମ୍ୟାନେଜର ବି.ବି.ତ୍ରୀପାଠୀ, ଜିଏମ୍ ଫାଇନାନ୍ସ, ହରଜିତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।