ମାର୍ଚ୍ଚ ୭ରେ ଥିଲା ବିବାହ, ଆଜି ବିଦାୟ ନେଲେ ସହିଦ ଚିତ୍ରେଶ

ଡେରାଡୁନ,୧୮/୨: ରାଜୌରୀ ବିସ୍ଫୋରଣ ସମୟରେ ସହିଦ ହୋଇଥିବା ମେଜର ଚିତ୍ରେଶ ସିଂଙ୍କ ଶେଷକୃତ୍ୟ ହରିଦ୍ୱାରରେ ସଂପନ୍ନ କରାଯାଇଛି । ସେନାର ଅନ୍ୟ ଯବାନ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଏହି ସମୟରେ ସ୍ଥାନୀୟ ଲୋକ ତାଙ୍କୁ ବନ୍ଦେ ମାତରମ ଧ୍ୱନି ସହ ତାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ।

ସହିଦ ଚିତ୍ରେଶଙ୍କ ପାର୍ଥିବ ଶରୀର ରବିବାର ଦିନ ଡେରାଡୁନସ୍ଥିତ ବାସଭବନରେ ପହଂଚିଥିଲା । ଶତାଧିକ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି । ଫେବୃଆରୀ ୧୬ ତାରିଖରେ ଜାମ୍ମୁ- କଶ୍ମୀରରେ ରାଜୋରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ଆଇଇଡି ବିସ୍ଫୋରଣରେ ସେ ସହିଦ ହୋଇଛନ୍ତି । ମେଜର ଚିତ୍ରେଶ ବୋମାକୁ ନିଷ୍କ୍ରିୟ କରିବା ବେଳେ ଏପରି ଘଟିଛି।

ଉଲ୍ଲେଖଯୋଗ୍ୟ ତାଙ୍କ ବିବାହ ଆସନ୍ତା ମାର୍ଚ୍ଚ ୭ ତାରିଖରେ ହେବାକୁ ଥିଲା । ବିବାହର ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ହୋଇସାରିଥିଲା । ତାଙ୍କ ପିତା ତାଙ୍କୁ ବାରମ୍ବାର କହୁଥିଲେ ଛୁଟି ନେଇ ବିବାହ କାର୍ଯ୍ୟରେ ସାହାଯ୍ୟ କରିବାକୁ କିନ୍ତୁ ମେଜର ଚିତ୍ରେଶ ପ୍ରଥମେ ଦେଶକୁ ବାଛିଥିଲେ ଏବଂ ଡ୍ୟୁଟି କରିଥିଲେ। ନିଜ କର୍ତ୍ତବ୍ୟକୁ ଶ୍ରେୟ ମନେ କରି ସହିଦ ହୋଇଗଲେ ।

କିଛି ଅଧିକାରୀଙ୍କ ସୂଚନାନୁଯାୟୀ , ପ୍ରାୟ ଅପରାହ୍ନ ତିନିଟା ସମୟରେ ବାରୁଦ ସୁରଙ୍ଗର ଖବର ମିଳିଥିଲା। ମେଜର ବିଷ୍ଟ ସେଗୁଡ଼ିକୁ ଠାବ କରି ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ମେଜର ସହିଦ ହୋଇଥିଲେ। ଏହି ଘଟଣାରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମେଡ଼ିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ସେ ୨୫ଟି ବୋମା ନିଷ୍କ୍ରିୟ କରିଥିଲେ।