ଭୁବନେଶ୍ୱର, ୬/୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାୟାମ କରୁଥିବାର ଏକ ଭିଡିଓ ଶୁକ୍ରବାର ଦଳ ପକ୍ଷରୁ ଜାରି କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକାର ବ୍ୟାୟାମ କରୁଥିବା ଦେଖାଯାଇଛି। ସାଧାରଣତଃ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧୁଥିବା ନବୀନଙ୍କୁ ଭିଡିଓରେ ଖେଳ ପୋଷାକ (ଟ୍ରାକ୍ ପ୍ୟାଣ୍ଟ ଏବଂ କଳା ବାନିୟନ)ପିନ୍ଧିଥିବାର ଦେଖିବାକୁ ମିଳିଛି। ଦୁଇ ମିନିଟ୍ ୮ ସେକେଣ୍ଡର ଏହି ଭିଡିଓଟିରେ ନବୀନ ପଟ୍ଟନାୟକ ଦୌଡୁଥିବା, ସାଇକେଲିଂ, ହ୍ୟାଙ୍ଗିଙ୍ଗ୍, ବଗିଚା ଭ୍ରମଣ ଏବଂ ଜଗିଂ ଇତ୍ୟାଦି କରୁଥିବା ଦେଖାଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶାରୀରିକ ଭାବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି, ଏହି ବାର୍ତ୍ତା ଦେବାକୁ ଉକ୍ତ ଭିଡିଓ ଜାରି କରାଯାଇଥିବା ସମୀକ୍ଷକମାନେ ମତ ରଖିଛନ୍ତି। ଭିଡିଓଟି ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହିପରି ଏକ ଭିଡିଓ ଛାଡ଼ିଥିଲେ। ଏଥିସହିତ ଅନ୍ୟ କିଛି ସେଲିବ୍ରିଟିଙ୍କୁ ତାଙ୍କ ଫିଟ୍ନେସ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଟୁଇଟର ମାଧ୍ୟମରେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ଅନେକେ ସମ୍ମାନ ଜଣାଇ ଏହିପରି ଭିଡିଓ ଜାରି କରିଥିଲେ। ଅତୀତରେ ମୁଖ୍ୟମନ୍ତ୍ରୀ ଶାରୀରିକ ଭାବେ ଅସୁସ୍ଥ ଥିବା କଥା ବିରୋଧୀମାନେ ଅଭିଯୋଗ ଆଣିଥିଲେ, ଯାହାକୁ ନେଇ ବିଜେଡି-ଭାଜପା ଆରୋପ-ପ୍ରତ୍ୟାରୋପର ପର୍ବ ମଧ୍ୟ ଦେଖିବାକୁ ମିଳିଥିଲା।