ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ, ଗାଡ଼ି ଚାଳକ ମୃତ

ପୋଲସରା,୧୦/୧: ଗଞ୍ଜାମ ଜିଲା ପୋଲସରା ଥାନା ରାଣିପଡ଼ା ନିକଟ ଏକ ପୋଲ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉକ୍ତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗ୍ରାମର କୈଳାସ ବେହେରା(୪୮ବର୍ଷ )।

ସୂଚନାନୁଯାୟର, କୈଳାସ କୌଣସି କାମରେ ପୋଲସରାକୁ ନିଜ ଗାଡ଼ି ଯୋଗେ ଆସିଥିଲେ। କାମ ସାରି ଗୁରୁବାର ଗାଁକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ତଳେ ପଡ଼ିଯିବା ପରେ ଟ୍ରକର ଚକା ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ କୈଳାସଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଦୁର୍ଘଟଣା ଘଟିଥିବା ୨ଟି ଗାଡ଼ିକୁ ଜବତ କରିବା ସହ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। ଏନେଇ ପୋଲସରା ଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁରକୁ ପଠାଯାଇଛି।