ନୂଆଦିଲ୍ଲୀ, ୧୩/୧୨ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩,୫୦୦ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ମେହୁଲ ଚୋକସିଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ ଜାରୀ କରିଥିବା ସିବିଅଇ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ଏହି ମାମଲାରେ ଇଣ୍ଟରପୋଲ ମେହୁଲଙ୍କ ଭଣଜା ନୀରବ ମୋଦୀଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରୀ କରିବାରେ ସଫଳ ହୋଇଥିଲା । ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ନୀରବ ମୋଦୀ, ମାମୁ ମେହୁଲ ଚୋକସି ଏବଂ ତାଙ୍କ ସମ୍ପର୍କୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ଯାଞ୍ଚ ଏଜେନ୍ସି ଏହି ମାମଲାରେ ମୋଦୀ, ଚୋକସି ଏବଂ ନିଶାଲଙ୍କୁ ଧରିବା ପାଇଁ ଇଣ୍ଟରପୋଲର ସହାୟତା ଲୋଡିଥିଲା । ପିଏନବି ଠକେଇ ପରେ ଜାନୁଆରି ପ୍ରଥମ ସପ୍ତାହରେ ମୋଦି ଓ ଚୋକ୍ସି ଭାରତ ଛାଡ଼ି ପଳାଇଛନ୍ତ । ତଦନ୍ତକାରୀ ଏଜେନ୍ସି ଏବଂ ଅଦାଲତର ଡାକରା ସେ‰ ଫେରି ନାହାନ୍ତି । ନିରବ ଲଣ୍ଡନ୍ରେ ଓ ଚୋକ୍ସି କାରିବୀୟ ଦେଶ ଆଣ୍ଟିଗୁଆ ଏବଂ ବାରବୁଡାରେ ଅଛନ୍ତି ବୋଲି କୁହାଯାଉଛି । ଉଭୟଙ୍କ ପ୍ରତ୍ୟର୍ପଣ ନିମନ୍ତେ ଭାରତ ଔପଚାରିକ ଅନୁରୋଧ କରିଛି ।