ମୋଦୀଙ୍କ ଉପରେ ରହିଛି ଜନତାଙ୍କ ଅଖଣ୍ଡ ବିଶ୍ୱାସ, ପାଞ୍ଚଟି ଭାଷାରେ ଭାଷଣ ଦେଲେ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ,୨୪/୬: ଲୋକସଭାରେ ଓଜସ୍ୱୀ ଭାଷଣ ଦେଇ ସମସ୍ତଙ୍କୁ ସ୍ତବ୍ଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ସମୟରେ ସେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଇଂରାଜୀ, ହିନ୍ଦୀ, ସଂସ୍କୃତ ଏବଂ ଓଡିଆ ଭାଷାରେ ସେ ନିଜର ବକ୍ତବ୍ୟ ରଖିଛନ୍ତି । ନିଜ ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶା ଓ ଏହାର ବରପୁତ୍ରମାନଙ୍କ ବିଷୟରେ କହିଛନ୍ତି । ଷଡଙ୍ଗୀ କହିଛନ୍ତି କି, ମୋ ପାଇଁ ରାଜନୀତି ଜନସେବାର ଏକ ମାଧ୍ୟମ । ମୁଁ ଏକ ସାଧାରଣ ପରିବାରରୁ ଏଠାକୁ ଆସିଛି । ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛନ୍ତି । ସାଧାରଣ ଚା ବାଲା ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ଏକ ଐତିହାସିକ ଭାଷଣ ଥିଲା । ଏହି ସମୟରେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଷଡଙ୍ଗୀ କହିଛନ୍ତି କି, ପୂର୍ବରୁ କଂଗ୍ରେସ ସରକାର ଟୁଜି, ଥ୍ରୀଜି ଆଜି ବିଭିନ୍ନ ଦୁର୍ନିତୀରେ ବୁଡି ରହୁଥିଲା । କିନ୍ତୁ ବିଗତ ୫ ବର୍ଷ ମଧ୍ୟରେ ସରକାରରେ ଦୁର୍ନିତୀର ସାମାନ୍ୟ ଛିଟା ଲାଗିନି । ୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ କି, ମୁଁ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ଦେଶର ପ୍ରଧାନ ସେବକ । ଯାହାକି ସେ ପାଳନ କରି ଦେଖାଇଛନ୍ତି । ଦେଶରେ ରଘୁକୂଳ ରୀତି ଚାଲିଛି ପ୍ରାଣ ଯାଇଛି ପଛେ ବଚନ ଯାଇ ନାହିଁ । ଭାରତୀୟ ଜନତା ପାର୍ଟି ଦେଶରେ ମହିଳା, ଆଦିବାସୀ, ଶିଶୁ ଏବଂ ଦଳିତମାନଙ୍କ ସୁରକ୍ଷା ପାଇଁ ବଚନ ଦେଇଥିଲେ ଯାହାକି ସେ ଆଜି ପର୍ଯ୍ୟନ୍ତ ପାଳନ କରି ଆସିଛନ୍ତି । ସବକା ସାଥ ସବକା ବିକାଶ ନୀତିରେ କାମ ଚାଲିଛି । ନରେନ୍ଦ୍ର ମୋଦୀ ଶିଶୁମାନଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି । ଏଭଳି ପ୍ରଧାନମନ୍ତ୍ରୀ ପୂର୍ବରୁ କେବେ ଦେଶରେ ନଥିଲେ ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ବର୍ଷର ହିସାବ ଦେବାକୁ କହିଥିଲେ । କିନ୍ତୁ ୫ ବର୍ଷ ନୁହେଁ ମୋଦୀ ପ୍ରତି ବର୍ଷ ଦେଶର ଭିନ୍ନ ଭିନ୍ନ ଭାଗକୁ ଯାଇ ସବୁ ବିଷୟରେ ହିସାବ ଦେଇଛନ୍ତି । ଏଭଳି ପୂର୍ବରୁ କେଉଁ ପ୍ରଧାନମନ୍ତ୍ରୀ କରି ନଥିଲେ । ମୋଦୀ ୫ ବର୍ଷର ହିସାବ ଦେଇଛନ୍ତି ଏବଂ ନିଜ କାମ ପାଇଁ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ବିଜେପି କିମ୍ବା ଏନଡିଏ ପକ୍ଷରୁ କୌଣସୀ ନାରା ଦିଆଯାଇ ନଥିଲା କିନ୍ତୁ ଦେଶର ଜନତା ନାରା ଦେଇଛନ୍ତି କି, ଅବକି ବାର ୩୦୦ ପାର । ଏହା ସଫଳ ହୋଇଛି । ପୁଣି ଥରେ ମୋଦୀ ସରକାରକୁ ଆସିଛନ୍ତି । ଦେଶର ଜନତା କୌଣସୀ ଅପମିଶ୍ରଣକୁ ଗ୍ରହଣ କରି ନାହାଁନ୍ତି । ଖରାରେ ଲମ୍ବା ଧାଡିରେ ଠିଆ ହୋଇ କଠୋର ଜନମତ ଦେଇ ସବୁ ଅପପ୍ରଚାରର ଜବାବ ଦେଇଛନ୍ତି । ତେଣୁ ସମସ୍ତ ମତଦାତାଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଯେଉଁମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ, ସେମାନେ ମୋଦିଙ୍କୁ ସହିପାରୁ ନାହାଁନ୍ତି । ଭଲ କଥାକୁ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ୍ । ୧୯୭୧ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ବାଜପେୟୀ ପ୍ରଶଂସା କରିଥିଲେ । ଏହି ସମୟରେ ସେ ଆଶାକର୍ମୀ ମନୋରମା, ଚା ବିକାଲୀ ଡ. ପ୍ରକାଶ ରାଓଙ୍କ କଥା କହିଛନ୍ତି । ଚଳିତ ନିର୍ବାଚନରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ୧୨ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଛନ୍ତି । ଦେଶର ଜନତା କଠୋର ଜନାଦେଶର ପ୍ରମାଣ ଦେଇଛନ୍ତି । ମୋଦୀଙ୍କ ଉପରେ ସାଧାରଣ ଲୋକଙ୍କର ଅଖଣ୍ଡ ବିଶ୍ୱାସ ରହିଛି ତାହା ପ୍ରମାଣିତ ହୋଇଛି ।

ଶିଖ୍ ଦଙ୍ଗା କିଏ କରିଥିଲା, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ କିଏ ବାହାର କରିଥିଲେ, ନିର୍ବାଚନ କମିଶନ ଉପରେ କିଏ ପ୍ରଶ୍ନ ଉଠାଇଥିଲା, ଇଭିଏମକୁ କିଏ ଦୋଷୀ କରିଛି ବୋଲି କହି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ଷଡଙ୍ଗୀ । ଏହି ଇଭିଏମକୁ ପ୍ରଶଂସା କରିବା ଉଚିତ୍ କାରଣ ଏହି ଇଭିଏମ୍ ତୁମକୁ ତିନି ଥର ପ୍ରଧାନମନ୍ତ୍ରୀ ଆସନରେ ବସାଇଥିଲା । ୧୫-୨୦ ବର୍ଷ ଶାସନରେ ବସି ମଧ୍ୟ ବିରୋଧୀ ନେତୃତ୍ୱ ହୋଇ ପାରିଲେ ନାହିଁ । ତେଣୁ ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗି ନେବା ଉଚିତ୍ ବୋଲି ସେ ସେ କହିଛନ୍ତି ।