ନୂଆଦିଲ୍ଲୀ,୧/୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ତାକୁ ନେଇ ଗତ ଦୁଇ ମାସରୁ ଉର୍ଦ୍ଧ୍ୱ କାଳ ଧରି ଅନେକ କଳ୍ପନା ଜଳ୍ପନା ସହ ଅନିଶ୍ଚିତତା ଲାଗି ରହିଛି। ତେବେ, ନୂତନ କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନା ସହ ଅନିଶ୍ଚିତତାର ଅନ୍ତ ଖୁବ୍ ଶୀଘ୍ର ଘଟିବାକୁ ଯାଉଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରବକ୍ତା ରଣଦୀପ୍ ସିଂହ ସୂରେଜଓ୍ଵାଲା।
କଂଗ୍ରେସ ପ୍ରବକ୍ତା ସୂରେଜଓ୍ଵାଲା ଗଣମାଧ୍ୟମକୁ କହିଛନ୍ତି ଯେ ଆଜି କଂଗ୍ରେସ ମୁଖ୍ୟାଳୟ ଠାରେ କଂଗ୍ରେସ ସାଧାରଣ ସଂପାଦକମାନଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆସନ୍ତା ଅଗଷ୍ଟ ୭ ତାରିଖରେ ସଂସଦର ଚଳିତ ମୌସୁମୀ ଅଧିବେଶନ ଶେଷ ହେବା ପରେ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ବସିବ। ଏବଂ ଏହି ସିଡବ୍ଲ୍ୟୁସି ବୈଠକରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ କିଏ ହେବ, ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।