ଯୌନ ପୀଡିତାଙ୍କ ପରିଚୟ ଗୋପନ ରହିବ : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ, ୧୧/୧୨: ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ସରବ୍ୟ ହୋଇଥିବା ପୀଡିତାଙ୍କ ନାମ ଏବଂ ପରିଚୟ ପ୍ରକାଶ କରାଯିବା ଅନୁଚିତ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ସରବ୍ୟ ହୋଇଥିବା ପୀଡିତାଙ୍କ ପରିଚୟ କୌଣସି ଆକାରରେ ମଧ୍ୟ ଛାପା ଓ ବୈଦୁ୍ୟତିକ ଗଣମାଧ୍ୟମ ପ୍ରଘଟ କରିବେ ନାହିଁ ବୋଲି ଜଷ୍ଟିସ ମଦନ ବି ଲାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏପରି କି ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିଚୟ ଗୁପ୍ତ ରହିବ ବୋଲି ଶୀର୍ଷ ଅଦାଲତ କହିଛନ୍ତି । ଅଦାଲତ କହିଛନ୍ତି, ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ମାମଲାରେ ରୁଜୁ ହୋଇଥିବା ଏଫଆଇଆରଗୁଡିକୁ ମଧ୍ୟ ପୋଲିସ ସାର୍ବଜନୀନ କରିବ ନାହିଁ । ଏହା ସହିତ ନାବାଳକ ଅପରାଧୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଆଇନ ଲାଗୁ ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଅଦାଲତ ଆହୁରୀ ମଧ୍ୟ କହିଛନ୍ତି, ଆମ ସମାଜରେ ଦୁଷ୍କର୍ମ ପୀଡିତାଙ୍କୁ ଅଛୁଆଁ ଭଳି ବ୍ୟବହାର କରାଯାଉଛି, ଯାହା ଅତି ଦୁଃଖର ବିଷୟ । ସମାଜର ଏହି ମାନସିକତାକୁ ବଦଳାଇବା ଉଚିତ ବୋଲି କୋର୍ଟ କହିଛନ୍ତି । ଏହା ବ୍ୟତିତ ପ୍ରତି ଜିଲ୍ଲାରେ ଦୁଷ୍କର୍ମ ପୀଡିତାଙ୍କ ପାଇଁ ଗୋଟିଏ ବର୍ଷ ମଧ୍ୟରେ ୱାନ୍‌ ଷ୍ଟପ୍‌ ସେଣ୍ଟର ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସେଣ୍ଟରରେ ଦୁଷ୍କର୍ମ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରାଯିବ ଏବଂ ପୀଡିତାଙ୍କ ପୁନର୍ବାସର ବ୍ୟବସ୍ଥା କରାଯିବ ।