ରକ୍ଷାମନ୍ତ୍ରୀଙ୍କ ଉପରେ ଟିପଣୀ ଦେଇ ଅଡୁଆରେ ରାହୁଲ, ନୋଟିସ କଲା ମହିଳା କମିଶନ

ନୂଆଦିଲ୍ଲୀ, ୧୦/୧ : ପ୍ରତିରକ୍ଷା ମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ସମ୍ପର୍କରେ ଅରୁଚିକର ଏବଂ ଅପମାନଜନକ ଟିପଣୀ ଦେଇ ଅଡୁଆରେ ପଡିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ରାଷ୍ଟ୍ରିୟ ମହିଳା ଆୟୋଗ ପକ୍ଷରୁ ରାହୁଲଙ୍କୁ ନୋଟିସ ଜାରୀ କରି ସ୍ପଷ୍ଟୀକରଣ ରଖିବାକୁ କୁହାଯାଇଛି । ରାହୁଲଙ୍କ ମନ୍ତବ୍ୟ ନାରୀ ବିରୋଧୀ, ଆକ୍ରମକ, ଅନୈତିକ ଏବଂ ଅପମାନଜନକ ବୋଲି ମହିଳା ଆୟୋଗ ପକ୍ଷରୁ କୁହାଯାଇଛି । ଶ୍ରୀ ଗାନ୍ଧୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଜାତୀୟ ମହିଳା କମିଶନ ପକ୍ଷରୁ ତିବ୍ର ନିନ୍ଦା କରିବା ସହ ତାଙ୍କ ଏଭଳି ବୟାନକୁ ନେଇ ସନ୍ତୋଷଜନକ ସ୍ପଷ୍ଟୀକରଣ ରଖ;ୁ ବୋଲି କୁହାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ଏକ ଜନସଭାରେ ରାଫେଲ ଚୁକ୍ତିକୁ ନେଇ କହିଥିଲେ କି, ୫୬ ଇଞ୍ଚର ଛାତି ରଖିଥିବା ଚୌକିଦାର ଦୌଡି ପଳାଇଛନ୍ତି ଏବଂ ସେ ଜଣେ ମହିଳା ସୀତାରମଣଙ୍କୁ ତାଙ୍କ ରକ୍ଷା କରିବାକୁ କହୁଛନ୍ତି । ମୁଁ ନିଜକୁ ରକ୍ଷା କରି ପାରୁନାହିଁ, ମୋତେ ରକ୍ଷା କର । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ସମସ୍ତ ମହିଳାଙ୍କ ପାଇଁ ଅପମାନଜନକ ବୋଲି କହିଛନ୍ତି ।