ରସେଲ ଛଡ଼ାଇନେଲେ ମ୍ୟାଚ୍‌ : ବାଙ୍ଗାଲୋରର କ୍ରମାଗତ ପଞ୍ଚମ ପରାଜୟ

ବେଙ୍ଗାଲୁରୁ,୬/୪: ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ୍‌ ରାଇଡର୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ଟି ବଲ ବାକିଥାଇ ୫ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୩ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୯.୧ ଓଭରରେ ୫ ଉଇକେଟ ହରାଇ ୨୦୬ ରନ କରି ବିଜୟୀ ହୋଇଥିଲା। ଏଥିସହିତ ବାଙ୍ଗାଲୋର କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛି। ମାତ୍ର ୧୩ଟି ବଲର ସମ୍ମୁଖୀନ ହୋଇ ଦ୍ରୁତ ଅପରାଜିତ ୪୮ ରନ କରିଥିବା ରସେଲ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୨୦୬ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ୧୦୮ ରନରେ ୨ ଉଇକେଟ ହରାଇ ଭଲ ସ୍ଥିତିରେ ଥିଲା। ଓପନର ସୁନୀଲ ନାରିନ ୧୦ ରନ କରି ପ୍ରଥମେ ଆଉଟ ହୋଇଥିଲେ। ରବିନ୍‌ ଉଥାପ୍ପା ୬ ଚୌକା ସହ ୨୫ବଲରୁ ୩୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ୩୧ ବଲରୁ ୪ ଚୌକା ଓ ୨ ଛକା ସହ ୪୩ ରନ କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଓପନର କ୍ରିସ୍‌ ଲିନ୍‌ ପବନ ନେଗୀଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଇନ୍‌ଫର୍ମ ନୀତୀଶ ରାଣା ଦ୍ରୁତ ୩୭ ରନ (୨୩ ବଲ, ୧ ଚୌକା, ୨ ଛକା) କରି ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ବଦଳ ଖେଳାଳି ହେନେରିଚ କ୍ଲାସେନଙ୍କୁ କ୍ୟାଚ୍‌ ଦେଇଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ୧୫ ବଲରୁ ୧ ଚୌକା ଓ ୧ ଛକା ସହ ୧୯ ରନ କରି ପ୍ୟାଭିଲିୟନ ଫେରିବା ପରେ କୋଲକାତା ବିଜୟ ପାଇଁ ସଂଘର୍ଷ କରିଥିଲା। ତେବେ ୧୯ତମ ଓଭରରେ ଟିମ ସୌଦିଙ୍କୁ ନିର୍ମମ ପ୍ରହାର କରି ଆନ୍ଦ୍ରେ ରସେଲ ୪ଟି ଛକା ଓ ଗୋଟିଏ ଚୌକା ସହ ୨୯ ରନ କରି ଦଳକୁ ପରାଜୟ ମୁହଁରୁ ରକ୍ଷା କରି ବିଜୟୀ କରାଇଥିଲେ। ରସେଲ ମାତ୍ର ୧୩ଟି ବଲ ଖେଳି ରସେଲ ୧ ଚୌକା ଓ ୭ ଛକା ସହ ୪୮ ରନ କରି ଅପରାଜିତ ରହିଥିଲେ। ଶୁବମନ ଗିଲ ୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଙ୍ଗାଲୋର ତରଫରୁ ନବଦୀପ ସଇନି ଓ ପବନ ନେଗୀ ୨ଟି ଲେଖାଏ, ଚହଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

୪ଟି ମ୍ୟାଚ୍‌ରେ କ୍ରମାଗତ ଭାବେ ବିଫଳ ପ୍ରଦର୍ଶନ କରି ବେଶ୍‌ ସମାଲୋଚିତ ହୋଇଥିବା ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଶେଷରେ ଫର୍ମକୁ ଫେରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଏହି ଦୁଇ ତାରକାଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ୨୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାରେ ସଫଳ ହୋଇଥିଲା। କୋହଲି ୪୯ଟି ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୨ ଛକା ସହ ୮୪ ରନ କରି ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ତେବେ ପ୍ରଥମେ ଓପନର ପାର୍ଥତ୍ବ ପଟେଲ ୨୫ ରନ (୨୪ ବଲ, ୩ ଚୌକା) କରି ନୀତୀଶ ରାଣାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ପ୍ରଥମ ଉଇକେଟ ଯୋଡିରେ ପାର୍ଥିବ ଓ କୋହଲି ୪୭ ବଲରୁ ୬୪ ରନ ସଂଗ୍ରହ କରିଥିଲେ। ସେହିପରି ଡିଭିଲର୍ସ ୩୨ଟି ବଲ୍‌ ଖେଳି ୫ ଚୌକା ଓ ୪ ଛକା ସହ ୬୩ ରନ କରି ସ୍ପିନର ସୁନୀଲ ନାରିନଙ୍କ ବଲ୍‌ରେ ଏକ୍ସଟ୍ରା କଭରରେ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ କୋହଲି ଓ ଡିଭିଲର୍ସ ୫୬ ଟି ବଲ ଖେଳି ୧୦୮ରନର ଶତକୀୟ ଭାଗୀଦାରି ସ୍ଥାପନ କରିଥିଲେ। ଶେଷରେ ମାତ୍ର ୧୩ଟି ବଲ ଖେଳି ମାର୍କସ ଷ୍ଟୋଇନିସ୍‌ ୩ ଚୌକା ଓ ୧ ଛକା ସହ ୨୮ ରନ କରି ଅପରାଜିତ ରହିବା ସହ ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ବୋଲିଂରେ କୋଲକାତା ତରଫରୁ ନାରିନ, କୁଲଦୀପ ଓ ରାଣା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରେ ୨୦୫/୩

(କୋହଲି- ୮୪, ଡିଭିଲର୍ସ- ୬୩, ପାର୍ଥିବ- ୨୫, ଷ୍ଟୋଇନିସ- ୨୮*, ନାରିନ- ୧/୩୦, କୁଲଦୀପ- ୧/୩୧, ରାଣା- ୧/୨୨)।

କୋଲକାତା ନାଇଟ୍‌ ରାଇଡସ ୧୯.୧ ଓଭରରେ ୨୦୬/୫

(ରସେଲ- ୪୮*, ଲିନ୍‌- ୪୩, ରାଣା- ୩୭, ଉଥାପ୍ପା- ୩୩, ସଇନି-୨/୩୪, ନେଗୀ- ୨/୨୧)