ରାଉରକେଲାରେ ହେବ ରାଜ୍ୟର ୩ୟ ବିମାନବନ୍ଦର : ଡିଜିସିଏ ପକ୍ଷରୁ ମିଳିଲା ଲାଇସେନ୍ସ

ଭୁବନେଶ୍ୱର, ୮/୧: ଓଡ଼ିଶାର ଇସ୍ପାତ ନଗରୀରେ ରାଜ୍ୟର ତୃତୀୟ ବିମାନବନ୍ଦର ପ୍ରତିଷ୍ଠା ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଡିଜିସିଏ) ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି। ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଡିଜିସିଏ ଲାଇସେନ୍ସ ଦେଇସାରିଛି। ଏ ନେଇ ସୋମବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

ଟୁଇଟ୍‌ରେ ଉଲ୍ଲେଖ ରହିଛି ଯେ, ରାଉରକେଲାରେ ଓଡ଼ିଶାର ତୃତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଡିଜିସିଏ ଗତ ୭ତାରିଖରେ ଲାଇସେନ୍ସ ପ୍ରଦାନ କରିଛି। ରାଉରକେଲା ହେଉଛି ଓଡ଼ିଶାର ଶିଳ୍ପ ରାଜଧାନୀ। ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଷ୍ଟିଲ୍‌ସିଟି ଦେଶର ଅନ୍ୟଭାଗ ସହିତ ଯୋଡ଼ିହେବାର ସୁଯୋଗ ସୃଷ୍ଟି ହେବ ବୋଲି ଟୁଇଟ୍‌ କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜତୀୟ ବିମାନବନ୍ଦର ପରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ନିର୍ମାଣ ହୋଇଥିଲା। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ। ଏୟାର ଓଡ଼ିଶା ଏହି ବିମାବନନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ବିଭିନ୍ନ ସମସ୍ୟା ପରେ ଏୟାର ଓଡ଼ିଶା ବିମାନ ସେବା ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ସେବା ଦିଆଯାଇ ନାହିଁ। ଏଠାରେ ପୁନଃ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଧ୍ୟରୁ ଏକ ବିମାନକୁ ଭାୟା ଝାରସୁଗୁଡ଼ା ଦେଇ ଯିବା ପାଇଁ ଏଏଆଇ(ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ)କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହା ଭିତରେ ରାଜ୍ୟର ଆଉ ଏକ ନୂତନ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଡିଜିସିଏ ପକ୍ଷରୁ ଲାଇସେନ୍ସ ମିଳିବା ପରେ ରାଜ୍ୟବାସୀ ବିଶେଷକରି ରାଉରକେଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

SBI_Festive_Digital Billboard