ରାଜଧାନୀ ରାଜରାସ୍ତାରେ ବର୍ଷା, ଶୀତରେ ଥରୁଛନ୍ତି ଅଙ୍ଗନୱାଡ଼ି କର୍ମୀ

ଭୁବନେଶ୍ୱର, ୧୮/୧୨: ରାଜଧାନୀ ରାଜରାସ୍ତାରେ ପଡ଼ି ରହିଥିବା ରାଜ୍ୟ ଅଙ୍ଗନୱାଡ଼ୀ କର୍ମୀଙ୍କ ଆନ୍ଦୋଳନ ୨୫ଦିନରେ ପହଁଚିଛି । ବର୍ଷା ମଧ୍ୟ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ଆନ୍ଦୋଳନରୁ ଉଠାଇ ପାରିଲାନାହିଁ । ଶୀତ କି ବର୍ଷାକୁ ଖାତିର ନ କରି ନିଜର ସର୍ବନିମ୍ନ ସମସ୍ୟାକୁ ଦୂର କରିବାକୁ ସେ ସରକାରଙ୍କୁ ଅନରୋଧ କରିଛନ୍ତି ।

ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମା’ର ସ୍ୱାସ୍ଥ୍ୟ ହେଉ ଅବା ଶିଶୁଙ୍କ ପାଠ ପଢ଼ା, ସମସ୍ତ କାର୍ଯ୍ୟ କରିବା ସତ୍ୱେ ମାସକୁ ମାତ୍ର ୩ ହଜାର ଟଙ୍କା ଦରମା ମିଳୁଛି । ୩୩ ବର୍ଷ କାର୍ଯ୍ୟକରି ମଧ୍ୟ ପେନସନର କୌଣସି ବ୍ୟବସ୍ଥା ନାହିଁ । ଦରମା ବୃଦ୍ଧି ସହ ସାମାଜିକ ସୁରକ୍ଷା ଓ ପେନସନ ଭଳି ମୌଳିକ ଅଧିକାରରୁ ବଂଚିତ ହେଉଥିବା ଅଙ୍ଗନୱାଡି କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ଦୀର୍ଘ ଦିନଧରି ଆନ୍ଦୋଳନ ଜାରି ରହିଥିବାରୁ ଗର୍ଭବତୀ ଓ ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ ବଂଟନରେ ବ୍ୟାଘାତ ସୃଷ୍ଟି ହେଉଛି । ନିଦା ବିଷ୍ଣୁ ସରକାର ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ପାଳନ କରୁ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି । ଦାବି ପୂରଣ ନ ହେଲା ଯାଏଁ କର୍ମମାନେ ରାସ୍ତାରୁ ଉଠିବେନି ବୋଲି ଚରମ ଚେତାବନୀ ଦେଇଛନ୍ତି ।