ଜୟପୁର,୧୭/୧୧: କଂଗ୍ରେସ ରାଜସ୍ଥାନରେ କ୍ଷମତାକୁ ଫେରିବା ପାଇଁ ସମସ୍ତ ଶକ୍ତି ଖଟାଇ ଦେଇଛି। ପାର୍ଟି ଏବେ ରାଜସ୍ଥାନର ଝାଲରାପାଟନ ବିଧାନସଭା ସିଟରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରହିଥିବା ଯଶବନ୍ତ ସିଂହଙ୍କ ପୁଅ ପୂର୍ବତନ ବିଜେପି ନେତା ମାନବେନ୍ଦ୍ର ସିଂହଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇବାକୁ ଘୋଷଣା କରିଛି। ସେ ଗତ ମାସରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ମାନବେନ୍ଦ୍ରଙ୍କୁ ବସୁନ୍ଧରାଙ୍କ ବିପକ୍ଷରେ ପ୍ରାର୍ଥୀ କରାଇ କଂଗ୍ରେସ ବଡ଼ ବାଜି ଖେଳିଛି। ଏଥି ସହିତ ରାଜସ୍ଥାନ ବିଧାନସଭା ନିର୍ବାଚନରେ ସବୁଠୁ ସୁପର ମୁକାବିଲାର ସଂଭାବନା ରହିଛି ।
ବସୁନ୍ଧରା ରାଜେ ୨୦୦୩ରୁ ଝାଲରାପାଟନ ସିଟରୁ ଲଗାତର ଜିତି ଆସୁଛନ୍ତି। ମାତ୍ର ଏଥର କଂଗ୍ରେସ ପାର୍ଟି ମାନବେନ୍ଦ୍ରଙ୍କୁ ଏହି ଆସନରୁ ଟିକେଟ୍ ଦେଇ ନିର୍ବାଚନୀ ସମୀକରଣ ବଦଳାଇବାକୁ ପ୍ରୟାସ କରିଛି। ଖାସ୍ କଥା ଏହା ଯେ କଂଗ୍ରେସ ବସୁନ୍ଧରାଙ୍କ ବିରୋଧରେ ନିର୍ବାଚନରେ ପ୍ରତ୍ୟେକ ଥର ନୂତନ ଚେହେରାକୁ ଓହ୍ଲାଇଛି। ରାଜନୀତି ସମୀକ୍ଷକଙ୍କ ଅନୁଯାୟୀ ରାଜସ୍ଥାନରେ ରାଜପୁତ ବାହୁଲ୍ୟ ଅଞ୍ଚଳରେ ଆଜି ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିଂହଙ୍କ ପତିଆରା ରହିଛି। ଯାହାର ଫାଇଦା ନେବାକୁ ଚେଷ୍ଟା କରୁଛି କଂଗ୍ରେସ।