ରାଜ୍ୟରେ ଖୋଲିବ ନାହିଁ ମଦ ଦୋକାନ

ଭୁବନେଶ୍ବର,୫।୫: ରାଜ୍ୟର କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ । ଖୁବ ଶୀଘ୍ର ଅବକାରୀ ବିଭାଗର ଏନେଇ ନିର୍ଦ୍ଦେଶନାମା ଜାରି କରିବ ବୋଲି ସୂଚନା ମିଳିଛି । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର। ଖୁବ ଶୀଘ୍ର ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ହେବ । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦିନେ ଦୁଇ ଦିନ ଭିତରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

କରୋନା ଭଳି ଏକ ମାରାତ୍ମକ ମହାମାରୀ ପାଇଁ ଲକଡାଉନ ଜାରି ରହିଛି । ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଏହି ଅନୁମତି ପାଇବା ମାତ୍ରେ ସାରା ଦେଶର ଚିତ୍ର ଦେଖିଲେ ସ୍ଥିତି ଅସମ୍ଭାଳ ମନେ ହେଉଛି ।

ତେବେ ଓଡ଼ିଶାର ଗ୍ରିନ୍ ଜୋନରେ ଅନେକ ସ୍ଥାନରେ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି । ସୋମବାର ସକାଳୁ ପୁରୀରେ ମଦ ଦୋକାନ ଖୋଲିଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଦୋକାନ ବନ୍ଦ କରାଇଥିଲେ।ଗ୍ରିନ୍ ଜୋନରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଥିଲେ ମଧ୍ୟ ଓଡ଼ିଶାର ସ୍ଥାନୀୟ ପ୍ରଶାସନ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ମୟୂରଭଞ୍ଜ ଓ ବ୍ରହ୍ମପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇ ନାହିଁ । କଟକରେ ମଧ୍ୟ ମଦ ଦୋକାନ ବନ୍ଦ ଥିବା ଜଣାପଡ଼ିଛି ।