ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଏସ୍‌ବିଏମ୍‌ ହେବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯/୧: ରାଜ୍ୟ କ୍ୟାବିନେଟ ବୈଠକରେ ମଙ୍ଗଳବାର ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ ବୈଠକରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନେଇ ୫ଟି ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି। ଭଦ୍ରକ ଜିଲ୍ଲାର ଲୁଣିପାଣି ଅଂଚଳକୁ ପାଇପ ପାଣି ଯୋଗାଣ ହେବ। ଏହା ଦ୍ୱାରା ଜିଲ୍ଲାର ୫ଟି ବ୍ଲକ ଉପକୃତ ହେବେ। ଏହି ପ୍ରକଳ୍ପରେ ମୋଟ ୭୫୪ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦୁଝର ଜିଲ୍ଲାରେ ପାନୀୟ ଜଳ ପାଇଁ ୯୭୯ କୋଟି ଟେଣ୍ଡର ମଂଜୁରୀ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାର ଖଣି ଅଂଚଳରେ ପାନୀୟ ଜଳ ପାଇଁ ୭୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଡିଏମ୍‌ଏଫ ପାଣ୍ଠିରୁ ଖର୍ଚ୍ଚ ହେବ। ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ପାନୀୟ ଜଳ ପାଇଁ ୩୧୫ କୋଟି ଟଙ୍କା ଖର୍ଚ୍ଚ ହେବ।