ଭୁବନେଶ୍ୱର, ୧୭/୧୨: ରାଫେଲ ଡିଲରେ ଦୁର୍ନୀତି ହୋଇଥିବା କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶବାସୀଙ୍କୁ ଭ୍ରମରେ ପକାଇଛନ୍ତି। ମାତ୍ର ସୁପ୍ରିମକୋର୍ଟ ଫୈସଲା ପରେ ରାହୁଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ ରାହୁଲ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି।
ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଏପରି କହି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ବିଜୟ ରୁପାଣି। ଏହି ସମ୍ମିଳନୀରେ ଶ୍ରୀ ରୂପାଣୀ କହିଛନ୍ତି ରାଫେଲ କିଣା ନେଇ ସର୍ବୋଚ୍ଚ ଅଦାଲତଙ୍କ ରାୟ ଦ୍ୱାରା କ୍ଷୀର-ପାଣି ଅଲଗା ହୋଇଯାଇଛି। ସତ୍ୟର ବିଜୟ ହୋଇଥିବା ବେଳେ ମିଥ୍ୟାର ପରାଜୟ ଘଟିଛି। ମିଛର ପାଦ ନଥାଏ, ବେଶୀ ଦିନ ତିଷ୍ଠି ପାରେ ନାହିଁ। ରାହୁଲ ଗାନ୍ଧି ଦେଶବାସୀଙ୍କୁ ମିଛ କହି ଭ୍ରମରେ ପକାଇଛନ୍ତି। ସର୍ବୋଚ୍ଚ ଆଦାଲତଙ୍କ ଏହି ନିଷ୍ପତି ପରେ ରାହୁଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ ରାହୁଲ କ୍ଷମା ମାଗନ୍ତୁ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି।ଦେଶର ସବୁ ଚୋର ଏକାଠି ହୋଇ ଚୌକିଦାରକୁ ଚୋର କହିଲେ। ଚୌକିଦାରକୁ ଚୋର କହିଲେ ଲୋକ ଗ୍ରହଣ କରିବେନି ବୋଲି ଶ୍ରୀ ରୁପାଣୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ,ସାରା ଦେଶର ୭୦ଟି ଭିନ୍ନ ଭିନ୍ନ ଅଞ୍ଚଳରେ ସୋମବାର ବିଜେପି ନେତାମାନେ ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ପ୍ରେସମିଟ୍ କରୁଛନ୍ତି। ଓଡ଼ିଶାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଦଳର ବିଭିନ୍ନ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।