ଲକଡାଉନ ୨ର ନୂଆ ଗାଇଡ୍‌ଲାଇନ ଜାରି କଲା କେନ୍ଦ୍ର, ଜାଣନ୍ତୁ କ’ଣ ବନ୍ଦ ଓ କ’ଣ ଖୋଲା ରହିବ

ନୂଆଦିଲ୍ଲୀ୧୫/୪ : କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାର ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରମାନଙ୍କ ପରାମର୍ଶକୁ ବିଚାର କରି କେନ୍ଦ୍ର ଏହି ନିଷ୍ପତ୍ତି ନେବା ସହିତ ଲକଡାଉନ ୨.୦ ଜାରି କରିଛି। ଏହା ପରେ ବୁଧବାର କେନ୍ଦ୍ର ସରକାର ଲକଡାଉନ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଲକଡାଉନ ସମୟରେ ସମସ୍ତ ପ୍ରକାର ପରିବହନ ସେବା ବନ୍ଦ ରହିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ରାଜ୍ୟର ସୀମାଗୁଡ଼ିକ ସିଲ୍‌ ରହିବ। ତେବେ ଆବଶ୍ୟକ ସେବା ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ। କିନ୍ତୁ କୃଷି କ୍ଷେତ୍ର ସହ ଜଡ଼ିତ କାର୍ଯ୍ୟକୁ ଲକଡାଉନରୁ ବାଦ୍‌ ଦିଆଯାଇଛି।

ଗାଇଡଲାଇନ ଅନୁସାରେ, ଲୋକମାନେ ବସ୍‌, ମେଟ୍ରୋ, ବିମାନ ଓ ଟ୍ରେନରେ ଯାତ୍ରା କରିପାରିବେ ନାହିଁ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ବି ବନ୍ଦ ରହିବ। ବାହାରକୁ ବାହାରିବା ସମୟରେ ମୁହଁକୁ ମାସ୍କ କିମ୍ବା ରୁମାଲ ଦ୍ବାରା ବନ୍ଦ ରଖିବେ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ହେବ। ସିନେମା ହଲ, ମଲ୍‌, ଶପିଂ ମଲ, ଜିମ୍‌, ଖେଳପଡ଼ିଆ, ସୁଇମିଂ ପୁଲ, ବାର୍‌ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଲୋକେ ଗୋଟିଏ ଜିଲାରୁ ଅନ୍ୟ ଜିଲା ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ କରିବା ନିଷେଧ କରାଯାଇଛି।

ସେହିପରି ସମସ୍ତ ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ, ଖେଳ, ଧାର୍ମିକ ସମାରୋହ, ଧାର୍ମିକ ସ୍ଥଳ, ପ୍ରାର୍ଥନା ସ୍ଥଳ ବନ୍ଦ ରହିବ। ଏପ୍ରିଲ ୨୦ ପର୍ଯ୍ୟନ୍ତ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ୨୦ ତାରିଖ ପରେ ସ୍ଥିତି ସମୀକ୍ଷା କରାଯିବ। ଯେଉଁ ଅଞ୍ଚଳ ହଟସ୍ପଟରେ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବ ସେହି ଅଞ୍ଚଳରେ ଲକଡାଉନ କୋହଳ କରାଯିବ ବୋଲି ଗାଇଡ୍‌ଲାଇନରେ ଦର୍ଶାଯାଇଛି।

କ’ଣ ବନ୍ଦ ରହିବ : ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ଯାତ୍ରୀବାହୀ ଟ୍ରେନ, ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ଶିକ୍ଷକ ପ୍ରଶିକ୍ଷଣ, ଔଦ୍ୟୋଗିକ ଓ ବାଣିଜ୍ୟିକ ଗତିବିଧି, ହୋଟେଲ, ଟ୍ୟାକ୍ସି, ଅଟୋ ରିକ୍ସା, ସାଇକେଲ ରିକ୍ସା, ସିନେମା ହଲ, ଶପିଂ ମଲ, ଜିମ, ସ୍ପୋର୍ଟ୍ସ କଂପ୍ଲେକ୍ସ, ସୁଇମିଂ ପୁଲ, ବାର୍‌, ଥିଏଟର, ଯେକୌଣସି ପ୍ରକାର ଆୟୋଜନ, ଧାର୍ମିକ ସ୍ଥଳ।

ନୂଆଦିଲ୍ଲୀ: ଲକଡାଉନ ସମୟସୀମା ବୃଦ୍ଧି କରାଯିବା ପରେ କେନ୍ଦ୍ର ସରକାର ଆଉ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଲକଡାଉନ ଅବଧିକୁ ଅସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଦେଶବାସୀଙ୍କ ଲାଗି କିଛି ନୂଆ ପ୍ୟାକେଜ ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି।

ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ପୂର୍ବଥର ଭଳି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ ଚାଲିବ। ବୈଠକରେ କୃଷି କ୍ଷେତ୍ର ସହିତ ଆଉ କିଛି ସେକ୍ଟରକୁ ଆଶ୍ବସ୍ତି ଦେବା ଲାଗି ନିଷ୍ପତ୍ତି ହୋଇପାରେ। ଏହା ସହିତ କରୋନା ମୁକାବିଲା ସକାଳେ ବଡ଼ ଯୋଜନା ଉପରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଆସନ୍ତା କାଲି ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯିବ ବୋଲି କହିଥିଲେ। ତେଣୁ କ୍ୟାବିନେଟ ବୈଠକରେ ଏହି ଗାଇଡ୍‌ଲାଇନ ସମ୍ପର୍କରେ ଆଲୋଚନା ହେବ ବୋଲି କୁହାଯାଉଛି।