ଶିଶୁ ମହୋତ୍ସବ ‘ସୁରଭି’ ଉଦଯାପିତ

ଭୁବନେଶ୍ବର,୧୭/୧୧: ଶିଶୁ ଚାହିଲେ ସବୁ କିଛି କରିପାରିବ । ଶିକ୍ଷା, ନିଷ୍ଠା, ପରିଶ୍ରମ, ଅଭିଜ୍ଞତା ଓ ଅନୁଭୂତିକୁ ଉପଯୋଗ କରି ସେ ଅନେକ ପରିବର୍ତ୍ତନ ଆଣିପାରିବ। ତେଣୁ ଶିଶୁ ମହୋତ୍ସବ ‘ସୁରଭି’ରୁ ଯେଉଁ ଅଭିଜ୍ଞତା ଓ ଅନୁଭୂତି ନେଇଯାଉଛ, ତାକୁ ନିଜ ଗାଁ’ରେ ଉପଯୋଗ କରିବ। ସ୍ମାର୍ଟ ସିଟିରୁ ଯାହା ଉପଲବ୍ଧି କରିଛ, ସେଇ ଉପଲବ୍ଧିକୁ କାର୍ଯ୍ୟରେ ପରିଣତ କରି ନିଜ ଗାଁ’କୁ ସ୍ମାର୍ଟ କରି ଉଦାହରଣ ସୃଷ୍ଟି କର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ‘ସୁରଭି’ କାର୍ଯ୍ୟକ୍ରମରେ ଅତିଥିମାନେ ପିଲାମାନଙ୍କ ଏହିଭଳି ମାର୍ଗଦର୍ଶନ ଦେଇଛନ୍ତି ।

ଏହି ଅବସରରେ ବିଦ୍ୟାଳୟ ନିରାପତ୍ତା ଶୀର୍ଷକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଧା ଜିଲ୍ଲା ପ୍ରଥମ, ମାଲକାନଗିରି ଦ୍ୱିତୀୟ, ଦେବଗଡ଼ ତୃତୀୟ ଏବଂ ଝାରସୁଗୁଡ଼ା ଓ ଭଦ୍ରକକୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୩ଦିନିଆ ଏହି ଉତ୍ସବରେ ପ୍ରତି ଜିଲ୍ଲାରୁ ବଛା ହୋଇ ଆସିଥିବା ୩ ହଜାର କୃତୀ ଶିକ୍ଷାର୍ଥୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀ ୨୦ଟି ପ୍ରଦର୍ଶନୀ ମଣ୍ଡପରେ ବହୁ ଶିକ୍ଷଣୀୟ ପ୍ରଦର୍ଶନର ମଜା ଉଠାଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।