ପୁରୀ,୨୦/୮: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହାର ଚତୁଃପାର୍ଶ୍ଵରେ ଥିବା କୋଠାଗୁଡ଼ିକ ୨ ଦିନ ମଧ୍ୟରେ ଉଚ୍ଛେଦ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଉଚ୍ଛେଦ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି। ଉଚ୍ଛେଦ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଠ ଜଣ ମାଜିଷ୍ଟ୍ରେଟ୍ଙ୍କ ସମେତ ରିଜର୍ଭ ପୁଲିସ, ଓଏସ୍ଏଏଫ୍ ଆଦିଙ୍କୁ ମିଶାଇ ୨୪ ପ୍ଲାଟୁନ୍ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।
ମେଘନାଦ ପାଚେରି ସଂଲଗ୍ନ ସମସ୍ତ ସରକାରୀ ଓ ବେସରକାରୀ କୋଠାକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ପ୍ରଶାସନର ଏଭଳି ବଡ଼ ପଦକ୍ଷେପକୁ ବିରୋଧର ଯେଉଁ ଆଶଙ୍କା ରହିଥିଲା, ସେଭଳି କେଣସି ପରିସ୍ଥିତି ଦେଖିବାକୁ ମିଳିନିାହିଁ। ସଂପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳା ସହିତ କୋଠାଗୁଡ଼ିକ ଭଙ୍ଗା ଯାଇଥିବା ବେଳେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସହିତ ଦିବ୍ୟାଙ୍ଗ ରାମ୍ପ, ମୋବାଇଲ୍ ଷ୍ଟାଣ୍ଡ୍ ଓ ଅସ୍ଥାୟୀ ଜୋତାଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ପ୍ରଥମ ଦିନରେ ସୋମବାର ମେଘନାଦ ପାଚେରିକୁ ଲାଗି ରହିଥିବା ମଠ, ମନ୍ଦିର ଓ ସିଂହଦ୍ଵାର ସମ୍ମୁଖ ଜୋତା ଷ୍ଟାଣ୍ଡ ବ୍ୟତୀତ ଅନ୍ୟ ସବୁ କୋଠାକୁ ଉଚ୍ଛେଦ କରା ଯାଇଥିଲା। ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ନବନିର୍ମିିତ କୋଠା, ରାମଦୟା ପରିଷଦ କୋଠା, ସିଂହଦ୍ଵାର ଫାଣ୍ଡି ଘରକୁ ଭାଙ୍ଗି ଦିଆଯାଇଛି। ଦକ୍ଷିଣ ଦ୍ଵାରରେ ଥିବା ସେସୁ କାର୍ଯ୍ୟାଳୟ, ପିଏଚ୍ଡି କାର୍ଯ୍ୟାଳୟ, ଶୌଚାଳୟକୁ ଭାଙ୍ଗି ଦିଆଯାଇଥିବା ବେଳେ ଛୋଟମୋଟ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି।