ଆଜିକାଲି ନିଜକୁ ଫିଟ୍ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି । କାରଣ ଯେଉଁ ଖାଦ୍ୟ ଆମେ ଖାଉଛେ, ସେଗୁଡ଼ିକରେ ଆବଶ୍ୟକତା ଅନୁପାତରେ ଭିଟାମିନ୍ ନାହିଁ । ଅପରପକ୍ଷରେ ଆଳସ୍ୟତା ଯୋଗୁଁ ଆମ ଶରୀରର କାର୍ଯ୍ୟଧାରାରେ ଶିଥିଳତା ଦେଖାଦେଇଥାଏ । ଫଳରେ ନିଜ ଶରୀରକୁ ଫିଟ୍ ରଖିବା ଲାଗି ଆମକୁ ଦୈðନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରିବା ନିହାତି ଆବଶ୍ୟକ । ଏହାଦ୍ୱାରା ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟ କରିଥାଆନ୍ତି । ଯଦି ଆମ ଶରୀର ଆବଶ୍ୟକ ମୁତାବକ ସକ୍ରିୟ ନ ରହେ, ତେବେ ଆମେ ସଂକ୍ରମଣ (ଇନ୍ଫେକ୍ଶନ) ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଡେନ୍ମାର୍କସ୍ଥିତ ଆଲ୍ବୋର୍ଗ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏଭଳି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି । ଯଦି ଜଣେ ବ୍ୟକ୍ତିଙ୍କର ଶରୀର ସକ୍ରିୟ ରହେ, ତେବେ ସେ ହୃଦ୍ରୋଗ, ଡାଇବେଟିସ୍, ମେଦବହୁଳତା ଏବଂ ମହିଳାମାନେ ବ୍ରେଷ୍ଟ କ୍ୟାନ୍୍ସର ପରି ସ୍ୱାସ୍ଥ୍ୟ ସମସ୍ୟାଠାରୁ ନିଜକୁ କେତେକାଂଶରେ ଦୂରେଇ ରଖିପାରିବେ । ଗବେଷଣା ସମୟରେ ଶାରୀରିକ ସକ୍ରିୟତାରେ ତାରତମ୍ୟତା ଦେଖାଯାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କଠାରେ ସଂକ୍ରମଣର ଲକ୍ଷଣ ପରିଲକ୍ଷିତ ହୋଇଥିଲା ବୋଲି ପ୍ରକାଶିତ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଜଣେ ବ୍ୟକ୍ତି ନିଜ ଶରୀରକୁ ସକ୍ରିୟ ରଖିବା ପାଇଁ ଆବଶ୍ୟକ ମୁତାବକ ପୁଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ବ୍ୟାୟାମ କରିବା ଆବଶ୍ୟକ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।
