ଭୁବନେଶ୍ୱର,୯/୧୨: ଗୋଟିଏ ଦିନର ବ୍ୟବଧାନ ପରେ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ସେଥିପାଇଁ ସଜବାଜ ଆରମ୍ଭ କରି ଦେଇଛି ରାଜ୍ୟ ବିଜେଡ଼ି । ଅଧିବେଶନରେ କେଉଁ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବ ସେ ନେଇ ରଣନୀତି ପ୍ରସ୍ତୁତ ହୋଇସାରିଛି । ପୁଣି ଥରେ ସଂସଦର ଉଭୟ ଗୃହରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଦୋରାଇବ ଦଳ । ଏହା ସହିତ ଆହୁରି ୮ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ଆଜି ବସିଥିବା ସଂସଦୀୟ ଦଳ ବୈଠକ ପରେ ଦଳୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି ।
ଆସନ୍ତା ୧୧ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ହାଇକମାଣ୍ଡ । ମୁଖ୍ୟତଃ ୯ଟି ପ୍ରସଙ୍ଗକୁ ନେଇ ରଣନୀତି ପ୍ରସ୍ତୁତ କରିବ ବିଜେଡ଼ି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ମୁଖ୍ୟ ପ୍ରସଙ୍ଗ ରହିବ । ଏହା ସହିତ କୃଷକ ସମସ୍ୟା ଉଠାଇବ ଦଳ । କେନ୍ଦ୍ର ସରକାର ଘୋଷଣା କରିଥିବା ସ୍ୱାମୀନାଥନ କମିଟି ଅନୁଯାୟୀ ଦେଢ଼ ଗୁଣା ମୂଲ୍ୟ ବୃଦ୍ଧିକୁ ପୂଣର କରି ନାହାଁନ୍ତି । ସେହିପରି ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ମଧ୍ୟ ପ୍ରସ୍ତାବ ରଖାଯିବ । ସେହିପରି ବାତ୍ୟା ତିତିଲିର କ୍ଷତିପୂରଣ ପ୍ରଦାନ, କେନ୍ଦୁପତ୍ରରୁ ୧୮% ରୁ ୫% ଜିଏସ୍ଟି ହ୍ରାସ କରିବା, ତଫସିଲ ଭୁକ୍ତ ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ ନିୟମରେ ପରିବର୍ତ୍ତନ, ବକ୍ସି ଜଗବନ୍ଧୁଙ୍କ ନାମରେ ରେଳ ଚଳାଚଳ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା କରିବା ଓ ନଦୀ ଜଳ ବିବାଦ ଭଳି ପ୍ରସଙ୍ଗ ଉଠାଯିବ ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି ।