ସବର୍ଣ୍ଣ ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୧୨/୧ : ଆଜିଠାରୁ ଗରିବ ଉଚ୍ଚବର୍ଗର ଲୋକଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇବାର ସ୍ୱପ୍ନ ସାକାର ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲରେ ସ୍ୱାକ୍ଷର କରି ଏହାକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ଏହି ସମ୍ବିଧାନର ୧୨୪ ତମ ସଂଶୋଧନ ବିଲଟି ଆଇନରେ ପରିଣତ ହୋଇଛି । ଆଜି ସରକାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବାର ସମ୍ଭାବନା ରହିଛି ।

ଗତ ମଙ୍ଗଳବାରଦିନ ଏହି ବିଲଟି ଲୋକସଭାରେ ପାରିତ ହୋଇଥିଲା । ଏଥିଲାଗି ଅନୁଷ୍ଠିତ ଭୋଟିଂରେ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ ପଡ଼ିଥିଲା। ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ତା’ ପରଦିନ ଅର୍ଥାତ ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ ପାସ ହୋଇଥିଲା ।

ଏହା ପୂର୍ବରୁ ବିଲକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳଙ୍କ ଦାବି ଖାରଜ ହୋଇଯାଇଥିଲା । ଏହି ଦାବି ବିରୋଧରେ ୧୫୫ଟି ଓ ସପକ୍ଷରେ ମାତ୍ର ୧୮ଟି ଭୋଟ ପଡିଥିଲା । ସଂସଦର ଦୁଇ ସଦନରେ ପାରିତ ହେବା ପରେ ଏହାକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି ।