ସବୁ ଗରିବଲୋକଙ୍କୁ ମିଳିବ ମାଗଣା ଉଜ୍ଜ୍ୱଳା ଗ୍ୟାସ୍‌ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୮/୧୨: କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍‌ ଯୋଜନା ଏବେ ସମସ୍ତ ଗରିବ ହିତାଧିକାରୀଙ୍କୁ ମିଳିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆରମ୍ଭରୁ ମୁଖ୍ୟତଃ ବିପିଏଲ୍‌ ପରିବାରଗୁଡ଼ିକୁ ସାମିଲ୍‌ କରାଯାଇଥିଲା। ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଏବଂ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସାମିଲ କରାଯାଇଥିଲା। ବର୍ତ୍ତମାନ ଏହାର ପରିସରକୁ ଆହୁରି ବ୍ୟାପକ କରି ସମସ୍ତ ଗରିବଙ୍କୁ ଯେଭଳି ରନ୍ଧନ ଗ୍ୟାସ୍‌ ମିଳିପାରିବ, ତାହା ନିଶ୍ଚିତ କରାଯାଇଛି।

୨୦୧୬ ମସିହାରେ ଏହି ଯୋଜନା ଆରମ୍ଭ ହେବା ସମୟରେ ୫ କୋଟି ପରିବାରକୁ ଟାର୍ଗେଟ୍‌ କରାଯାଇଥିଲା ଏବଂ ପରେ ୫ ବର୍ଷରେ ୮ କୋଟି ପରିବାରକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଜନସଂଖ୍ୟାର ୯୦ ପ୍ରତିଶତଙ୍କ ରୋଷେଇ ଘରେ ଗ୍ୟାସ୍‌ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ରୋଷେଇ ଘରକୁ ଧୂଆଁମୁକ୍ତ କରିବାରେ ଯଥେଷ୍ଟ ସଫଳ ହୋଇଥିବାରୁ ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍‌ (WHO) ମଧ୍ୟ ଏହି ଯୋଜନାକୁ ପ୍ରଶଂସା କରିସାରିଛି।