ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସାମିଲ ଦାବି, ଗୃହମନ୍ତ୍ରୀଙ୍କୁ ଭେଟିଲେ ଚାରି ରାଜ୍ୟର ପ୍ରତିନିଧି ଦଳ

ନୂଆଦିଲୀ,୬/୧୨: ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସ୍ଥାନ ଦେବାକୁ ଦାବି କରି ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା, ପଶ୍ଚିମବଙ୍ଗଳା, ଆସାମ ଓ ଝାଡଖଣ୍ଡର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ଏହି ସବୁ ରାଜ୍ୟ ମାନଙ୍କରେ ବସବାସ କରୁଥିବା ହୋ ଭାଷାଭାଷୀ ମାନଙ୍କର ଏକ ଶୋଭାଯାତ୍ରା ଓ ଧାରଣା ଦିଲୀରେ ହୋଇଥିଲା । ଦେଶ ତମାମ ୧ ହଜାରରୁ ଅଧିକ ପ୍ରତିନିଧି ମାନେ ଯୋଗଦାନ କରିବା ସହ ହୋ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରିଥିଲେ । ଆଜି ସେମାନଙ୍କର ନେତୃତ୍ୱ ନେଉଥିବା ସ୍ଥାନୀୟ ନେତା ଗୃହମନ୍ତ୍ରୀଙ୍କୁ ଭେଟି ତାଙ୍କର ଦାବୀପତ୍ର ପ୍ରଦାନ କରିଛନ୍ତି । ଓଡିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ପ୍ରାଥମିକ ଭାଷା ହେଉଛି ହୋ।

ହୋ ସମଗ୍ର ବିଶ୍ୱରେ ଗୋଟିଏ ପୂରାତନ ଦେଶୀୟ ଭାଷା । ହୋ’ର ସୁନ୍ଦର ଲିପି ରହିଛି । ଭାରତରେ ଜନଜାତି ପରମ୍ପରାର ଏହି ଭାଷାକୁ ସୁରକ୍ଷିତ ରଖିବା ସହ ଆଗକୁ ବଢେଇବା ଆମ ସମସ୍ତଙ୍କ ଦାୟିତ୍ୱ । ଏ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଦାବିକୁ ସହୃଦୟତାର ସହ ଗ୍ରହଣ କରି ଏହାର କ୍ରିୟାନ୍ୱୟନ ପାଇଁ ଯଥାବିଧି ପ୍ରତିଶୃତି ଦେଇଥିବା ହେତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।