ସରକାରୀ ସ୍କୁଲ ପରିସରରେ ନିର୍ବାଚନ ପ୍ରଚାର କରି ଫସିଲେ ହେମା ମାଳିନୀ

ମଥୁରା,୪/୪: ମଥୁରା ସଂସଦୀୟ ସିଟ୍‌ରୁ ଭାଜପା ପ୍ରାର୍ଥୀ ତଥା ଅଭିନେତ୍ରୀ ହେମା ମାଳିନୀ ନିର୍ବାଚନ ଆଚର ସଂହିତା ଉଲଙ୍ଘନ କରିବା ନେଇ ଫସି ଯାଇଛନ୍ତି। ଏନେଇ ତାଙ୍କୁ ନିର୍ବାଚନ ଅଧିକାରୀ ନୋଟିସ୍‌ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଭାଜପା ପ୍ରାର୍ଥୀ ହେମା ମାଳିନୀ ନିର୍ବାଚନ ସଭା ମଥୁରାରେ ଚୌମୁହା ବ୍ଲକ୍‌ର ଆଝାଇ ଗ୍ରାମରେ କରିବା ପାଇଁ ଅନୁମତି ନିଆଯାଇଥିଲା। କିନ୍ତୁ ଶେଷ ସମୟରେ ଆୟୋଜକ ଗ୍ରାମର ପ୍ରସ୍ତାବିତ ସ୍ଥାନ ବଦଳରେ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ସଭା ପାଇଁ ମଞ୍ଚ କରିଥିଲେ। ଯେଉଁ ସମୟରେ ସଭାର ଆୟୋଜନ ହେବାକୁ ଥିଲା, ସେହି ସମୟରେ ସ୍କୁଲରେ ପିଲା ପାଠପଢ଼ୁଥିଲେ । କେବଳ ଏତିକି ନୁହେଁ ହେମା ମାଳିନୀ ଆସିବା ପୂର୍ବରୁ ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକ ମଞ୍ଚରେ ୧୦ଟାରୁ ୧୧ ପର୍ଯ୍ୟନ୍ତ ହରିୟାଣବୀ ନୃତ୍ୟ ମଧ୍ୟ କରାଇଥିଲେ।

ତେବେ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ା ଚାଲୁଥିବା ସମୟରେ ନିର୍ବାଚନ ସଭା ଆୟୋଜନ କରିବା ନେଇ ସହାୟକ ନିର୍ବାଚନ ଅଧିକାରୀ ସାଂସଦ ହେମା ମାଳିନୀ ଓ ନିର୍ବାଚନୀ ସଭାର ଅନୁମତି ପାଇଁ ଆବେଦନ କରିଥିବା ପଙ୍କଜ ଶର୍ମାଙ୍କୁ ଆଚାର ସଂହିତା ଉଲଙ୍ଘନ କରିବା ନେଇ ନୋଟିସ୍‌ ଜାରି କରିଛନ୍ତି।

ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସରଳା ଦେବୀଙ୍କ କହିବାନୁସାରେ, ସେ ପ୍ରଥମେ ଏହି ଆୟୋଜନ ବିଷୟରେ ଜାଣି ନଥିଲେ। ପରେ ଏହା ବିଭାଗୀୟ କାର୍ଯ୍ୟକ୍ରମ ବୋଲି ବୁଝିଥିଲେ, କିନ୍ତୁ ଯେତେବେଳେ ଏହା ନିର୍ବାଚନୀ ସଭା ବୋଲି ଜାଣିବାକୁ ପାଇଲେ ସେ ଆୟୋଜକଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ସେମାନେ ତାଙ୍କୁ ଚୁପ୍‌ କହିବାକୁ କହିଥିଲେ।

SBI_Festive_Digital Billboard