ମୁମ୍ବାଇ: ପୁଣି ପଡ଼ିଆକୁ ଫେରିବ କ୍ରିକେଟ୍। ଦର୍ଶକଙ୍କ ଭିଡ଼ରେ ଉଚ୍ଛୁଳି ପଡ଼ିବ ଷ୍ଟାଡ଼ିୟମ୍। ବ୍ୟାଟ୍ରୁ ବର୍ଷିବ ଚଉକା ଛକା। ଉତ୍କଣ୍ଠା ଓ ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ପାଇବେ ନିଜ ପ୍ରିୟ ଖେଳାଳିଙ୍କ ଦମ୍ଦାର ପ୍ରଦର୍ଶନ। ଆସନ୍ତା ଅକ୍ଟୋବର/ନଭେମ୍ବରରେ ଭାରତର ପ୍ରଫେସନାଲ୍ ଟ୍ବେଣ୍ଟିଂ୨୦ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଆୟୋଜନ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ତେବେ ବିସିସିଆଇ ନୁହେଁ, ଆଇପିଏଲ୍ ଭାଗ୍ୟ ନିର୍ଦ୍ଧାରଣ ସରକାର କରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି।
ଗତ ମାର୍ଚ୍ଚ/ଅପ୍ରିଲ୍ରେ ଆଇପିଏଲ୍ ମ୍ୟାଚ୍ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରିଥିଲେ। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆଇପିଏଲ୍ ମ୍ୟାଚ୍ ବାତିଲ କରାଯାଇଥିଲା। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶ ଲଢେଇ କରୁଛି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ପରିସ୍ଥିତି ସ୍ବାଭାବକ ହେବା ପରେ ଯଦି ଜନ ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ ତାହେଲେ ଭାରତୀୟ କ୍ରିକେଟ୍ ବୋର୍ଡ ନୁହେଁ, କେନ୍ଦ୍ର ସରକାର ଆଇପିଏଲ୍ ଆୟୋଜନ ପାଇଁ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି।
କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ପରିସ୍ଥିତି ସୁଧୁରିବା ଓ ନିୟନ୍ତ୍ରଣାଧୀନ ହେବାପରେ ଆଇପିଏଲ୍ ଆୟୋଜନ ପାଇଁ ପ୍ରସ୍ତୁତି କରାଯିବ। ସରକାର କ୍ରୀଡ଼ା ଆୟୋଜନ ସପକ୍ଷରେ ଅଛନ୍ତି, କିନ୍ତୁ ଏଥିପାଇଁ ଦେଶବାସୀଙ୍କ ସ୍ବାସ୍ଥ୍ୟକୁ ବିପଦରେ ପଡୁ ଏହା ଚାହାନ୍ତି ନାହିଁ। ଆସନ୍ତା ଅକ୍ଟୋବର/ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ ମ୍ୟାଚ୍ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଶ୍ବର ଧନି କ୍ରିକେଟ୍ ସଂସ୍ଥା ବିସିଆଇ ଗ୍ରହଣ କରିବ। ଅାଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ପକ୍ଷରୁ ପ୍ରାୟ ୫୩୦ ମିଲିୟନ୍ ଡଲାର ଅଟକଳ କରାଯାଇଛି। ଏହା ବହୁ ଆନ୍ତର୍ଜାତୀୟ କ୍ରିକେଟରଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି।