ନୂଆଦିଲ୍ଲୀ, ୧୨/୧ : ପଞ୍ଚକୁଲା (ହରିୟାଣା)ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଧର୍ମଗୁରୁ ଗୁରମିତ ରାମ ରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ସେମାନଙ୍କୁ ଆସନ୍ତା ୧୭ ତାରିଖରେ କୋର୍ଟ ଦଣ୍ଡାଦେଶ ସୁଣାଇବେ ବୋଲି ସିବିଆଇ ଓକିଲଙ୍କ ପକ୍ଷରୁ ଜଣା ପଡିଛି । ସିରସାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ୨୦୦୨ ମସିହାରେ ବାବା ରାମ ରହିମଙ୍କ ନିର୍ଦ୍ଦେଶ କ୍ରମେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଦାଲତ ଏହାର ତଦନ୍ତ ଦାୟୀତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ରାମରହିମ ବର୍ତ୍ତମାନ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ କାରାଦଣ୍ଡ ଭୋଗୁଛନ୍ତି । ଜଣେ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।