ସିଂହଦ୍ୱାରରେ ସ୍ଥାପନ ହେଲା ଜୟ-ବିଜୟ ମୂର୍ତ୍ତି

ପୁରୀ,୧୭/୬: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆଜି ଜୟ-ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରଳୟଙ୍କାରୀ ଫୋନି ପ୍ରଭାବରେ ସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ।
ବାତ୍ୟା ଫୋନି ପୁରୀରେ ଅନେକ କ୍ଷୟକ୍ଷତି କରିଥିଲା । ଶ୍ରୀମନ୍ଦିର ସିଂହଦ୍ୱାରରେ ଭାଙ୍ଗିଯାଇଥିବା ଜୟ ବିଜୟ ମୂର୍ତ୍ତି ଆଜି ଏଏସଆଇ ପକ୍ଷରୁ ଲଗାଯାଇଛି । ବାମ ପଟେ ରୁହେ ଜୟ ମୂର୍ତ୍ତି ଓ ଦକ୍ଷିଣ ପଟେ ରୁହେ ବିଜୟ ମୂର୍ତ୍ତତି । ଫୋନି ପ୍ରଭାବରେ ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ।

ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଶିଳ୍ପୀଗ୍ରାମ ଶୁଖୁଆପଡ଼ାର ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଏହି ଜୟ-ବିଜୟ ମୂର୍ତ୍ତିକୁ ନୂତନ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ମୂର୍ତ୍ତିଦ୍ୱୟ ଖଣ୍ଡଲାଇଟ ପଥରରେ ନିର୍ମିତ ହୋଇଛି । ମୂର୍ତ୍ତିର ଉଚ୍ଚତା ୫ଫୁଟ ୧୦ଇଞ୍ଚ ଥିବା ବେଳେ ଓସାର ତିନି ଫୁଟ ରହିଛି । ସିଂହଦ୍ୱାରରେ ଅସ୍ତ୍ର ଧରି ନୀଳ ରଙ୍ଗର ଦୁଇଟି ମୂର୍ତ୍ତି ଜଗିଥାନ୍ତି । ଏମାନଙ୍କୁ ଚତୁର୍ଦ୍ଧା ମୂର୍ତ୍ତି ତଥା ମହାପ୍ରଭୂଙ୍କ ଦ୍ୱାରପାଳ ବୋଲି କୁହାଯାଏ।