ଜାମ୍ମୁ,୯/୩: ଶାନ୍ତିର କଥା କହୁଥିବା ପାକିସ୍ତାନ ସୀମାରେ ପୁଣି ଥରେ ଡ୍ରୋନ ଉଡାଇଛି । ପ୍ରତି ଥର ଭଳି ଏଥର ମଧ୍ୟ ମାତ୍ ଖାଇଛି ଏହି ଆତଙ୍କୀ ରାଷ୍ଟ୍ର । ସମାଚାର ଏଜେନ୍ସି ଏଏନଆଇ ମୁତାବକ, ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରର ଅନ୍ତରାଷ୍ଟ୍ରୀୟ ବର୍ଡର ପାଖରେ ଭାରତୀୟ ସେନା ଏକ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇ ଦେଇଛି। ଉଲ୍ଲେଖଯୋଗ୍ୟ, ଏୟାର ଷ୍ଟ୍ରାଇକ ପରେ ଭାରତୀୟ ସେନା ଏ ପର୍ଯ୍ୟନ୍ତ ତିନୋଟି ପାକିସ୍ତାନୀ ଡ୍ରୋନକୁ ସୀମାରେ ଅନୁପ୍ରବେଶ ସମୟରେ ମାରି ଖସାଇ ଦେଇଛି।
ଏହା ପୂର୍ବରୁ ମାର୍ଚ୍ଚ ୪ରେ ଭାରତୀୟ ବାୟୁସେନାର ଏକ ଲଢୁଆ ବିମାନ ଭାରତ-ପାକିସ୍ତାନ ସୀମା ବିକାନେର ସେକ୍ଟରରେ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରି ପାରୁଥିବା କ୍ଷେପଣାସ୍ତ୍ରର ବ୍ୟବହାର କରି ପାକିସ୍ତାନର ଏକ ସୈନ୍ୟ ଡ୍ରୋନକୁ ମାରି ଖସାଇ ଦେଇଥିଲା।
ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ ସ୍ଥିତ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ହମଲା କରିଥିଲେ। ଏଥିରେ ବଡ଼ ସଂଖ୍ୟାରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ବାୟୁସେନାର ଏହି କାର୍ୟ୍ୟା ନୁଷ୍ଠାନ ପରେ ପାକିସ୍ତାନ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏହି ଡ୍ରୋନକୁ ମାରି ଖସାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଫେବୃଆରୀ ୨୭ରେ ମଧ୍ୟ କଚ୍ଛରେ ଭାରତ-ପାକିସ୍ତାନ ସୀମାରେ ଭାରତର ଏକ ପାକିସ୍ତାନୀ ଡ୍ରୋନକୁ ଯବାନ ମାରି ଖସାଇ ଦେଇଥିଲେ।