ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲା: ସ୍ୱତନ୍ତ୍ର ଯାଂଚ କରାଯାଉ, ଲୋକେ ସତ୍ୟତା ଜାଣିବା ଦରକାର

ହାଇଦ୍ରାବାଦ,୧୨/୧୨: ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ହୋଇଥିବା ଏନକାଉଣ୍ଟର ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି । ଏନକାଉଣ୍ଟର କରିଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିବା ମାମଲାରେ ପ୍ରଧାନ ବଚାରପତି ଜଷ୍ଟିସ ଏସଏ ବୋବଡେ ଏହି ମାମଲାର ସ୍ୱତନ୍ତ୍ର ଯାଂଚ କରାଯିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଡିସେମ୍ବର ୬ତାରିଖରେ ତେଲେଙ୍ଗାନା ହାଇଦ୍ରାବାଦ ଏନକାଉଣ୍ଟର ଘଟଣା ସମ୍ପର୍କରେ କିଛି ଜନତା ସମର୍ଥନ କରୁଥିବା ବେଳେ କିଛି ବ୍ୟକ୍ତି ସମ୍ପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏହି ମାମଲାର ଶୁଣାଣୀ ଏବେ ସୁପ୍ରିମକୋର୍ଟରେ ଚାଲିଛି । ତେବେ କିଛି ବ୍ୟକ୍ତି ଏହି ଏନକାଉଣ୍ଟର ସୁପ୍ରିମକୋର୍ଟଙ୍କ ୨୦୧୪ ଗାଇଡ଼ଲାଇନ ଉଲଘଂନ ହୋଇଥିବା ଅଭିଯୋଗ କରିଥିବା ବେଳେ କିଛି ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ମିଳିଥିବା ଜଣାଇଛନ୍ତି । ତେବେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣୀ କରିବାକୁ ଯାଇ ପ୍ରଧାନ ବିଚାରପତି ଏସଏ ବୋବଡେ କହିଛନ୍ତି ଯେ, ଏହି ଏନକାଉଣ୍ଟର ଉପରେ ପୁଣି ସ୍ୱତନ୍ତ୍ର ଯାଞ୍ଚ କରାଯାଉ । କାରଣ ଯଦି ଅପରାଧିକ ଅଦାଲତରେ ଏନକାଉଣ୍ଟରରେ ସାମିଲ ପୋଲିସଙ୍କ ଉପରେ କେସ ଚାଲିଛି ତେବେ ସୁପ୍ରିମକୋର୍ଟ କିଛି କରିବ ନାହିଁ । ଯଦି ଜନତା କହୁଛନ୍ତି ସେମାନେ ନିର୍ଦ୍ଦୋଷ ତେବେ ଲୋକଙ୍କ ସାମନାକୁ ସତ୍ୟତା ଆସିବା ଦରକାର । ସୁପ୍ରିମକୋର୍ଟ ତଥ୍ୟର କଳ୍ପନା କରି ଶୁଣାଣୀ କରିବ ନାହିଁ । ଏହି ମାମଲାରେ ସ୍ୱତନ୍ତ୍ର ଯାଂଚ ହେବାକୁ ଦିଅନ୍ତୁ ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୬ତାରିଖ ଶୁକ୍ରବାର ଭୋରୁ ଜାତୀୟ ରାଜପଥ ୪୪ର ଚେତନାପାଲି ଓଭରବ୍ରିଜ ନିକଟରେ ପଶୁ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥବା ସ୍ଥାନକୁ ଅଭିଯୁକ୍ତଙ୍କୁ ନେଇ ସ୍ପଟ ଇନକ୍ୱାରୀ ଓ ସ୍କ୍ରିନ ରିକିଏସନ ପାଇଁ ନିଆଯାଇଥିଲା । ସେହି ସମୟରେ ସେଠାରୁ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ ଦୈାଡ଼ିବାକୁ ଇସାରା କରିଥିଲା । ସେହି ଇସାରା କ୍ରମେ ଅନ୍ୟ ଅଭିଯୁକ୍ତ ମଧ୍ୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ସେଠାରେ ପୋଲିସ ଅନ୍ୟ କିଛି ଉପାୟ ନ ପାଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା । କିନ୍ତୁ ଓଲଟି ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ସେମାନଙ୍କୁ ଧରିବା ଉଦ୍ୟମ ବିଫଳ ହେବାରୁ ପୋଲିସ ଏହାର କଡ଼ା ଜବାବ ଦେଇ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଗୁଳିରେ ଘଟଣାସ୍ଥଳରେ ହିଁ ୪ଅଭିଯୁକ୍ତ ନିହତ ହୋଇଥିଲେ । ଆତ୍ମରକ୍ଷା ପାଇଁ ଏହି ଏନକାଉଣ୍ଟର କରାଯାଇଥିବା ପୋଲିସ ସୂଚନା ଦେଇଛି ।