ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ସାମିଲ ହୋଇଛି ଅନ୍ୟତମ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାରେ ଏନସିବି ହେଉଛି ତୃତୀୟ ସଂସ୍ଥା। ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରେ (ସିବିଆଇ) ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚଳାଇଛନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକ ଦ୍ରବ୍ୟ କାରବାର ସମ୍ପୃକ୍ତି ରହିଛି କି ନାହିଁ ସେ ଦିଗ ଉପରେ ଏନସିବି ତଦନ୍ତ କରିବ। ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରିଆ ଚକ୍ରବର୍ତ୍ତୀଙ୍କ କିଛି ଡିଲିଟେଡ୍ ଚାର୍ଟର ପୁନରୁଦ୍ଧାର କରିଛି। ଏଥିରେ ରିଆ ଡ୍ରଗ୍ସ୍ ଡିଲର୍ ଗୌରବ ଆର୍ଯ୍ୟାଙ୍କ ସହ ଡ୍ରଗ୍ସ୍ ନେଣଦେଣ ସମ୍ବନ୍ଧୀୟ ବାର୍ତ୍ତାଳାପ କରିଥିବା ଜଣାପଡ଼ିଛି। ଏହା ମଧ୍ୟ ସୂଚନା ମିଳିଛି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ସବିଶେଷ ବିବରଣୀ ସିବିଆଇ ଓ ମାଦକଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ(ଏନ୍ସିବି)କୁ ପ୍ରଦାନ କରିଛି। ଏବେ ସିବିଆଇ ରିଆଙ୍କ ଫୋନ୍ର ସମସ୍ତ ତଥ୍ୟର ଯାଞ୍ଚ କରିବ। ଏଭଳି ଏକ ସମ୍ବେଦନଶୀଳ ଖୁଲାସା ପରେ ସିବିଆଇ ପୁଣି ଥରେ ସୁଶାନ୍ତଙ୍କ ଫ୍ଲାଟ୍ମେଟ୍ ସିଦ୍ଧାର୍ଥ ପିଠାନି, ରୋଷେୟା ନୀରଜ, ମ୍ୟାନେଜର ସାମୁଏଲ୍ ମିରାନ୍ଦା ଓ ଅନ୍ୟଜଣେ ଘରୋଇ ସହାୟକ ଦୀପେଶ ସାୱନ୍ତ ପ୍ରମୁଖଙ୍କୁ ପଚାରାଉଚରା କରିବ।
ରିଆଙ୍କ ଡ୍ରଗ୍ସ୍ ଚାର୍ଟ ସାମନାକୁ ଆସିବା ପରେ ଏବେ ପୂରା ଦେଶରେ ହଇଚଇ ଖେଳିଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଆଙ୍କ ଡିଲିଟେଡ୍ ହ୍ବାଟ୍ସ୍ଆପ୍ ଚାର୍ଟର ପୁନରୁଦ୍ଧାର ପରେ ସୁଶାନ୍ତଙ୍କ ମୃତ୍ୟୁର ଆଉ ଏକ ଦିଗ ସାମ୍ନାକୁ ଆସିଛି। ହ୍ବାଟସଆପ୍ ଚ୍ୟାଟରେ ରିୟା ଚକ୍ରବର୍ତ୍ତୀଙ୍କୁ ଆର୍ଯ୍ୟା କହୁଛନ୍ତି ଯେ,‘ ଚା,କଫି କିମ୍ବା ପାଣିରେ ୪ବୁନ୍ଦା ପକାଅ ଏବଂ ତାଙ୍କୁ ପିଇବାକୁ ଦିଅ। ଫଳ ଦେଖିବା ପାଇଁ ୩୦ରୁ ୪୦ମିନିଟ୍ ରୁହ। ଉଭୟଙ୍କ ମଧ୍ୟରେ ଏହି କଥାବାର୍ତ୍ତା ୨୦୧୯,ନଭେମ୍ବର ୨୫ତାରିଖରେ ହୋଇଥିଲା।