ଭଞ୍ଜନଗର,୧୭।୪:ଗଞ୍ଜାମ ଜିଲା ସୋରଡା ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନ ହେବ। ଏହାପୂର୍ବରୁ ସୋରଡା ଥାନା ଲାଠିପଡା ପଞ୍ଚାୟତ କଦଳୀଝଡା ଗ୍ରାମରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଭାଜପା ସମର୍ଥକ ସନ୍ତୋଷ ପତି (୩୫)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଲାଠିପଡା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଲାଠିପଡାଠାରେ ରାସ୍ତାରୋକୋ କରିଛନ୍ତି। ଫଳରେ ଭଞ୍ଜନଗର-ସୋରଡା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି।
ପ୍ରକାଶ ଯେ, କଦଳୀଝଡା ଗ୍ରାମର ଓ୍ବାର୍ଡମେମ୍ବର ଗଣେଶ ପତିଙ୍କ ପୁଅ ସନ୍ତୋଷ ଏକ ଦୋକାନ କରିଛନ୍ତି। ବୁଧବାର ସନ୍ତୋଷଙ୍କର ଗ୍ରାମର କିଛି ଲୋକଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ସନ୍ତୋଷଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଛି। ସନ୍ତୋଷଙ୍କୁ ଦେଖିବାକୁ ଆସିଥିବା ଲୋକେ ହୋହାଲ୍ଲା କରିବାରୁ ମେଡିକାଲରେ ଉତ୍ତେଜନା ଲାଗି ରହିଛି। ଭଞ୍ଜନଗର ପୋଲିସ ମେଡିକାଲରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରୁଛି। ସନ୍ତୋଷଙ୍କ ବାପା ଗଣେଶ ଖବରଦାତାଙ୍କ ସମ୍ମୁଖରେ କହିଛନ୍ତି ଯେ, ଅଭିଯୁକ୍ତମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ପୁଅକୁ ହତ୍ୟା କରିଛନ୍ତି।