ହକି ବିଶ୍ଵ କପ : ଭାରତ-ବେଲଜିୟମ ମ୍ୟାଚ୍ ଡ୍ର

ଭୁବନେଶ୍ଵର,୨/୧୨: ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵ କପର ଗ୍ରୁପ ସିର ଏକ ମହତ୍ଵପୂର୍ଣ୍ଣ ମୁକାବିଲାରେ ଭାରତ ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅମୀମାସିଂତ ରହିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୨-୨ରେ ଶେଷ ହୋଇଛି। ବିଶେଷ କରି ଖେଳର ୫୬ତମ ମିନିଟରେ ବେଲଜିୟମ ଗୋଲ ଦେଇ ଭାରତକୁ ବିଜୟରୁ ବଞ୍ଚିତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ଓ ସିମରନଜିତ ସିଂହ ଗୋଲ ଦେଇଥିବା ବେଳେ ବେଲଜିୟମ ପକ୍ଷରୁ ଆଲେକ୍ସଜାଣ୍ଡାର ହେଣ୍ଡରିକ ଓ ସାଇମନ ଗଉନାର୍ଡ ଗୋଲ ଦେଇଛନ୍ତି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଛି। ଦୁଇଟି ମ୍ୟାଚରୁ ଭାରତ ୪ ପଏଣ୍ଟ ପାଇ ଗୋଲ ବ୍ୟବଧାନ ଦୃଷ୍ଟିରୁ ପୁଲ ସିରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବେଲଜିୟମ ସମାନ ୪ ପଏଣ୍ଟ ପାଇ ଦ୍ଵିତୀୟରେ ରହିଛି। ଭାରତର ବରୁଣ କୁମାର ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ହରମନପ୍ରୀତ ସିଂହ ଖେଳର ୩୯ ତମ ମିନିଟ୍ ଓ ସିମରନଜିତ ସିଂହ ୪୭ ତମ ମିନିଟରେ ଗୋଲ ଦେଇଥିଲେ। ଅନ୍ୟ ପଟେ ବେଲଜିୟମ ପକ୍ଷରୁ ଆଲେକ୍ସଜାଣ୍ଡାର ୮ମ ମିନିଟ୍ ଓ ସାଇମନ ୫୬ମ ମିନିଟରେ ଗୋଲ ସ୍କୋର କରିଛନ୍ତି।