ଭୁବନେଶ୍ଵର,୨୭/୧୧: ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ବିଶ୍ୱ କପ୍ ହକି। ଓଡ଼ିଶାକୁ ବିଶ୍ୱ କ୍ରୀଡାମାନଚିତ୍ରରେ ଦେଇଛି ଏକ ଉଲ୍ଲେଖନୀୟ ସ୍ଥାନ। ଭାରତୀୟ ହକିର ଅନ୍ତୁଡିଶାଳରେ କ୍ରୀଡା ନୈପୁଣ୍ୟ ପ୍ରଦର୍ଶିତ କରିବେ ବିଶ୍ୱର ଶ୍ରେଷ୍ଠ ହକି ତାରକା।
ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ହକି ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଆରେ ଏବଂ ତା’ପରେ ଇଂରାଜୀରେ ଭାଷଣ ଦେଇଥିଲେ । ସେ ଓଡ଼ିଶାର ଭାଇଭଉଣୀମାନଙ୍କୁ ନମସ୍କାର କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଷ୍ଟାଡିୟମର ମଞ୍ଚରେ ଦର୍ଶକ ବଲିଉଡର ସୁପରଷ୍ଟାର ଶାହରୁଖ ଖାଁ, ଧକଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନଙ୍କୁ ଦେଖିବାର ସୁଯୋଗ ପାଇଥିଲେ। ଦର୍ଶକଙ୍କୁ ନିଜ ଗୀତ ଓ ନାଚ ମାଧ୍ୟମରେ ସବୁ କଳାକାର ବାନ୍ଧି ରଖିବାରେ ସାମର୍ଥ୍ୟ ହୋଇଥିଲେ। ଅନ୍ୟପକ୍ଷରେ ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିଶ୍ୱକପରେ ଭାବ ନେଇଥିବା ଭାରତ ସମେତ ୧୮ଟି ଦେଶର ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ସଂସ୍କୃତିକୁ ଏକ ନୂଆ ଦିଗ ଦେବ ବୋଲି କହିଛନ୍ତି।