ଭୁବନେଶ୍ୱର, ୩୦/୧୧: ବିଶ୍ୱର ନମ୍ବରୱାନ ଦଳ ଅଷ୍ଟ୍ରେଲିଆ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପରେ କଷ୍ଟସାଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବିଶ୍ୱ ର଼୍ୟାଙ୍କିଙ୍ଗର ୧୦ ନମ୍ବରସ୍ଥାନରେ ଥିବା ଆୟର୍ଲାଣ୍ଡ ଗତ ଦୁଇଥର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ପ୍ରତିଷ୍ଠା ଅନୁସାରେ ଫଳ ପାଇ ନ ଥିବା ଅଷ୍ଟ୍ରେଲିଆ ଶେଷରେ ୨-୧ ଗୋଲରେ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା। ଲଢ଼ୁଆ ଖେଳର ନମୁନା ଦେଖାଇଥିଲା ଆୟର୍ଲାଣ୍ଡ। ଗୋଲକିପର ତଥା ଅଧିନାୟକ ଡେଭିଡ ହାର୍ଟ ଆକର୍ଷଣୀୟ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ଏକାଧିକ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ବିଜୟୀ ଦଳ ପକ୍ଷରୁ ଦ୍ୱିତୀୟ ଗୋଲଟି ସ୍କୋର କରିଥିବା ଟିମ୍ ବ୍ରାଣ୍ଡ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୂର୍ବରୁ ଅଷ୍ଟ୍ରେଲିଆର ଗୋଭର୍ସ ବ୍ଲେକ ଓ ଆୟର୍ଲାଣ୍ଡର ଶେନ ଓ’ଡୋନୋଘୋଏ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।