ଡେହରାଡୁନ,୧୯/୯: ଉତ୍ତରାଖଣ୍ଡରେ ଦୁଇରୁ ଅଧିକ ପିଲା ଥିବା ଲୋକେ ମଧ୍ୟ ଏବେ ପଞ୍ଚାୟତ ନିର୍ବାଚନ ଲଢିପାରିବେ । ଉତ୍ତରାଖଣ୍ଡ ହାଇକୋର୍ଟ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ପଞ୍ଚାୟତ ନିର୍ବାଚନରେ ଦୁଇରୁ ଅଧିକ ପିଲା ଥିବା ଆଶାୟୀଙ୍କୁ ନିର୍ବାଚନ ଲଢିବାରେ ଅଯୋଗ୍ୟ ଘୋଷଣା କରୁଥିବା ପଞ୍ଚାୟତି ରାଜ ସଂଶୋଧନ ଆକ୍ଟକୁ ଲାଗୁ କରିବା ପାଇଁ କଟ୍ ଅଫ ଡେଟ ୨୦୧୯ ମସିହା ଜୁଲାଇ ୨୫ ତାରିଖରୁ ଧାର୍ଯ୍ୟ କରିଛନ୍ତି । ଏହାର ଅର୍ଥ ଏହି ତାରିଖ ପରଠାରୁ ଦୁଇରୁ ଅଧିକ ପିଲା ଜନ୍ମ କରିଥିବା ପ୍ରାର୍ଥୀ ନିର୍ବାଚନ ଲଢିପାରିବେନି, ଯେତେବେଳେ କି ୨୦୧୯ ମସିହା ଜୁଲାଇ ୨୫ ତାରିଖ ପୂର୍ବରୁ ତିନୋଟି ପିଲା ଥିବା ଆଶାୟୀ ମଧ୍ୟ ନିର୍ବାଚନ ଲଢିପାରିବେ ।
ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରମେଶ ରଙ୍ଗନାଥନଙ୍କ ଅଧ୍ୟକ୍ଷତାରେ ଗଠିକ ସାମ୍ୱିଧାନିକ ଖଣ୍ଡପୀଠ ସେପ୍ଟେମ୍ୱର ୩ ତାରିଖରେ ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ପଞ୍ଚାୟତ ଆକ୍ଟର ପ୍ରାବଧାନକୁ କୋଟବାଗର ମନୋହର ଲାଲ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୋତି ସିଂହ ଚ୍ୟାଲେଞ୍ଜ କରିଥିଲେ । ତାଙ୍କ କହିବା ଅନୁସାରେ ସରକାର ଏହି ସଂସୋଧନକୁ ପଛ ତାରିଖରୁ ଲାଗୁ କରୁଛନ୍ତି, ଯେତେବେଳେ ନିୟମକୁ ଲାଗୁ କରିବା ପାଇଁ ୩୦୦ ଗ୍ରେସ ପିରିୟଡ ଦିଆଯାଇଥାଏ, ଯାହା ଦିଆଯାଇନି ।
ସୂଚନାଯୋଗ୍ୟ ଯେ ଉତ୍ତରଖଣ୍ଡର ୧୨ଟି ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ଅକ୍ଟୋବର ୬ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ନିର୍ବାଚନର ଫଳାଫଳ ଅକ୍ଟୋବର ୨୧ ତାରିଖରେ ଘୋଷଣା କରାଯିବ ।
